
ଭଦ୍ରକ, ଭଦ୍ରକ ଜିଲାରେ ମହା ଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ମହୋତ୍ସବ । ଭଦ୍ରକ ସହରର ଗାନ୍ଧି ପଡିଆ ଠାରେ ଶ୍ରୀରାମ ମହାଯଜ୍ଞ ସମିତି ତରଫରୁ ଆୟୋଜିତ ଯଜ୍ଞର ଆଜି ପୂର୍ଣ୍ଣାହିତ ଦିବସ । ତେବେ ଶେଷ ଦିନରେ ଭଦ୍ରକ ସହରରେ ୧୨ କିଲୋମିଟର ପର୍ଯ୍ୟନ୍ତ ନଗର ସଂକୀର୍ତନ ଅନୁଷ୍ଠିତ ହେବ । ଜିଲାର ବିଭିନ୍ନ ଅଂଚଳରୁ ଆସିଥିବା ମେଢ ଗୁଡିକ ନେହେରୁ ଷ୍ଟାଡିୟମ୍ ଠାରୁ ଏକତ୍ରିତ ହୋଇ ନଗର ସଂକୀର୍ତନରେ ସାମିଲ ହେବେ । ତେବେ ପ୍ରାୟ ୮୦ ରୁ ଅଧିକ ମେଢ ସାମିଲ ହେବେ । ଏନେଇ ଶ୍ରୀରାମ ମହାଯଜ୍ଞ ସମିତି ସମସ୍ତ ପ୍ରସ୍ତୁତି ଶେଷ କରିଛି । ନଗର ସଂକୀର୍ତନ ପାଇଁ ଭଦ୍ରକ ପୁଲିସ୍ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ୩ ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସ ସହ ସମୁଦାୟ ୪୦ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ୩ ଜଣ ଅତିରିକ୍ତ ଏସ୍ପି, ୧୦ ଡିଏସ୍ପି, ୧୯ ଇନ୍ସିପେକ୍ଟର, ୧୦୫ ଜଣ ଏସ୍ଆଇ ଓ ଏଏସ୍ଆଇ ମୁତୟନ ହୋଇଛନ୍ତି । ତେବେ ନଗର ସଂକୀର୍ତନ ହେବାକୁ ଥିବା ଅଂଚଳରେ ପୁଲିସ୍ ଫ୍ଲାଗମାର୍ଚ୍ଚ କରିଛି । ତେବେ ପ୍ରତ୍ୟେକ ମେଢ ସହ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ସହରରେ ଟ୍ରାଫିକ ପୋଷ୍ଟ ସହ ପାଟ୍ରୋଲିଂ ଟିମ୍ ସହରରେ ପଇଁତରା ମାରୁଥିବା କହିଛନ୍ତି ଭଦ୍ରକ ଏସ୍ପି ।