ପୁରୀ, ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ ( ଏସଜେଏମସିଏଚ)କୁ ଆସନ୍ତାକାଲି ସୋମବାର ଅପରାହ୍ଣରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ କଲେଜ ପରିସରରେ ପ୍ରସ୍ତୁତ ହୋଇଥିବା ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଅବତରଣ କରିବେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ମେଡିକାଲକୁ ଲୋକାପର୍ଣ ତଥା ଶୁଭ ଉଦଘାଟନ କରିବେ । ଏଥିପାଇଁ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି | ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ କଲେଜ କର୍ତ୍ତୃପକ୍ଷ ବେଶ୍ ଉତ୍ସାହିତ ଅଛନ୍ତି ।
୧00 ସିଟ୍ ବିଶିଷ୍ଟ ଏହି କଲେଜରେ ଛାତ୍ରଛାତ୍ରୀଙ୍କ ଆଡମିସନ ଶେଷ ହୋଇଛି । ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲ, ଖେଳପଡିଆ, କ୍ୟାଣ୍ଟିନ୍, ଲ୍ୟାବ୍, କ୍ଲାସ ରୁମ୍ ସହ ପ୍ରଶାସନିକ ଭବନ ମଧ୍ୟ ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ପ୍ରମୁଖ ପ୍ରୋଜେକ୍ଟ ହୋଇଥିବାବେଳେ ଏହି ନିର୍ମାଣ କାର୍ଯ୍ୟ ପାଇଁ ୫ ଶହ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏବେ ପ୍ରାଥମିକ ପର୍ଯ୍ୟାୟରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତ୍ରଛାତ୍ରୀ ଶିକ୍ଷା ନେବାର ବ୍ୟବସ୍ଥା କରାଯାଇଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ମେଡିକାଲ କଲେଜ ପରିସରରେ ନିଜସ୍ଵ ମେଡିକାଲ ନିର୍ମାଣ ପରେ ଆହୁରି ଅଧିକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳିପାରିବ ବୋଲି ଆଶା ରଖିଛନ୍ତି ଛାତ୍ରଛାତ୍ରୀ । ତେବେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜରେ ପ୍ରଥମ ବ୍ୟାଚ୍ ଆଡମିସନ ନେଇଥିବା ଛାତ୍ରଛାତ୍ରୀ ବେଶ ଖୁସି ଓ ଉତ୍ସାହିତ ଅଛନ୍ତି। ପୁରୀ ଭଳି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ଏଭଳି ଏକ ସୁନ୍ଦର ମେଡିକାଲ କଲେଜ ସ୍ଥାପନ ହୋଇଥିବାରୁ ଏଠାରେ ଚିକିତ୍ସା ସୁବିଧା ଉଭୟ ପର୍ଯ୍ୟଟକ ଓ ପୁରୀ ଜିଲ୍ଲାବାସୀ ପାଇପାରିବେ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି ।