
ଭୁବନେଶ୍ବର, ଶ୍ରୀମତୀ ସୁଲୋଚନା ଦାସ ଶନିବାର ଦିନ ଭୁବନେଶ୍ବର ମହାନଗର ନିଗମର ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି । ସେ ହେଉଛନ୍ତି ବିଏମସିର ପ୍ରଥମ ମହିଳା ମେୟର । ବିଏମ୍ସି କନ୍ଫରେନ୍ସ ହଲ୍ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଗୃହ ଓ ନଗର ଉନ୍ନୟନ ବିଭାଗର ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ତାଙ୍କୁ ଶପଥ ପାଠ କରାଇଛନ୍ତି
ଶପଥ ଗ୍ରହଣ କରିବା ପରେ ସୁଲୋଚନା ଦାସ ରାଜଧାନୀବାସୀଙ୍କୁ ଧନ୍ୟବାଦ ଦେବା ସହ ଭୁବନେଶ୍ବରର ବିକାଶ ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି। ଟିମୱାର୍କ ଜରିଆରେ ରାଜଧାନୀର ବିକାଶ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରକୁ ବିଶ୍ବସ୍ତରୀୟ କରିବାକୁ ଯେଉଁ ସ୍ବପ୍ନ ଦେଖିଛନ୍ତି, ସେଭଳି ଭୁବନେଶ୍ବରଟିଏ ତିଆରି ହେଲେ ହିଁ ସମସ୍ତଙ୍କର ସ୍ବପ୍ନ ପୂରଣ ହେବ ବୋଲି ସୁଲୋଚନା ଦାସ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ରାଜଧାନୀର ସାଢେ ୧୧ ଲକ୍ଷ ଲୋକ ଆମ ପରିବାର । ଶେଷ ଲୋକ ପର୍ଯ୍ୟନ୍ତ କିଭଳି ଆମ ଯୋଜନା ପହଞ୍ଚିବ ସେଥିପାଇଁ କାମ କରିବୁ । ସ୍ମାର୍ଟ ସିଟିରେ ନଂ-୧ ଯେଭଳି ବଜାୟ ରହିବ ବୋଲି ସେ କହିଛନ୍ତି ।
ସେହିପରି ଭୁବନେଶ୍ବରରେ ଅନେକ ଐତିହାସିକ କିର୍ତ୍ତୀରାଜି ରହିଛି । ସେଗୁଡିକର କିଭଳି ରକ୍ଷଣବେକ୍ଷଣ କରିହେବ ସେନେଇ କାମ କରିବୁ । ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିକାଶ ନେଇ ଯେଉଁ ପଦକ୍ଷେପ ନେଇଛନ୍ତି । ତାକୁ ଗୁରୁତ୍ବ ଦେଇ ସବୁବେଳେ କାମ କରିବୁ ବୋଲି ସେ କହିଛନ୍ତି ।