-
ସହକାରୀ ଯନ୍ତ୍ରୀଙ୍କ ସମ୍ପର୍କିୟଙ୍କ ଘରୁ ନଗଦ ୧ କୋଟି ୪୧ ଲକ୍ଷ ୬୨ ହଜାର ଟଙ୍କା ଓ ୩୫୪ ଗ୍ରାମ୍ ସୁନା ଠାବ
ଗଞ୍ଜାମ, ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଗିରଫ କୋଟିପତି ଯନ୍ତ୍ରୀ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତିକେଶ୍ୱର ରାଉଳଙ୍କ ସମ୍ପର୍କିୟଙ୍କ ଘରୁ ନଗଦ ୧ କୋଟି ୪୧ ଲକ୍ଷ ୬୨ ହଜାର ଟଙ୍କା ଓ ୩୫୪ ଗ୍ରାମ୍ ସୁନା ଠାବ କରିିଛି ଭିଜିଲାନ୍ସ । କାର୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀଙ୍କ ଘରୁ ଏହି ଟଙ୍କା ଠାବ ହୋଇଛି । ଭୁବନେଶ୍ୱର ସାଲିଆ ସାହି ସ୍ଥିତ ଘରୁ ଏହି ଟଙ୍କା ଠାବ କରିଛି ଭିଜିଲାନ୍ସ । ଜେରା ବେଳେ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନ ଏହି ଗୁମର ଖୋଲିଛନ୍ତି । ଭଉଣୀ ଘରେ ଟଙ୍କା ଓ ସୁନା ଲୁଚାଇ ରଖିଥିବା ସ୍ୱୀକାର କରିବା ପରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ ହୋଇଥିଲା । ବର୍ତମାନ ସୁଦ୍ଧା ଯନ୍ତ୍ରୀଙ୍କ ଠାରୁ ନଗଦ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ଜବତ ହୋଇଛି । ସେହିପରି ଭୁବନେଶ୍ୱର ଉପକଣ୍ଠସ୍ଥ ପୋଖରୀପୁଟରେ ତିନି ମହଲା ଘର ପାଇଁ ୭୮.୫୦ ଲକ୍ଷ ଦେଇଥିବା ସୂଚନା ମିଳିଛି । ଭିଜିଲାନ୍ସ ଅଫିସରେ କାର୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ, ଶାଳୀ ଓ ପୁତୁରାକୁ ଅଟକ ରଖି ଜେରା ଚାଲିଛି । କାର୍ତିକେଶ୍ୱରଙ୍କ ସହ ତିନି ଜଣଙ୍କୁ ମୁହାଁମୁହିଁ ଜେରା କରିଛି ଭିିଜିଲାନ୍ସ । ଏପରିକି କାର୍ତିକେଶ୍ୱରଙ୍କ ଟଙ୍କା କାରବାରରେ ପୁତୁରାର ଭୂମିକା ଥିବା ସୂଚନା ମିଳିଛି ।
ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତିକେଶ୍ୱର ରାଉଳଙ୍କୁ ମାମଲାରେ ପୂର୍ବରୁ ଗିରଫ କରି କୋର୍ଟଚାଲାଣ କରିଛି ଭିଜିଲାନ୍ସ । ତିନି ଦିନ ଧରି ତାଙ୍କ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ । ଚଢ଼ଉ ବେଳେ ୫ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ସମ୍ପତି ଠାବ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ ଙ୍କ ସର୍ଚ୍ଚ ୱାରେଂଟ ବଳରେ ୫ ଜଣ ଡିଏସପିଙ୍କ ନେତୃତ୍ୱରେ ୧୧ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗରେ ଏହି ଚଢ଼ଉ କରାଯାଇଥିଲା ।