ଗଞ୍ଜାମ, ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ପରିସର ସ୍ଥିତ ନବ ନିର୍ମିତ ସମ୍ମିଳନୀ କକ୍ଷରେ ନବ ନିର୍ବାଚିତ ମେୟର, କର୍ପୋରେଟର ଓ ପ୍ରଶାସନ ମଧ୍ୟରେ ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ପୂର୍ବାପେକ୍ଷା ସହରର ବିକାଶ କାର୍ଯ୍ୟ ବୃଦ୍ଧି ହୋଇଥିବା ବେଳେ ସେଭଳି କାର୍ଯ୍ୟଧାରାକୁ ଆହୁରି ତ୍ବରାନ୍ଵିତ କରିବା ସହ ନୂତନ ତଥା ଆଧୁନିକ ଶୈଳିରେ ଉନ୍ନୟନ କାର୍ଯ୍ୟ କରିବା ପ୍ରତି ଗୁରୁତ୍ୱ ଦେବା ପାଇଁ ମତବ୍ୟକ୍ତ କରିଥିଲେ । ଅନୁସୂଚିତ କାର୍ଯ୍ୟକ୍ରମରେ ମେୟର ସଂଘମିତ୍ରା ଦଳେଇ, ଡେପୁଟୀ ମେୟର୍ ଇ. ବିବେକ ରେଡ୍ଡି, ବିଧାୟକ ବିକ୍ରମ କୁମାର ପଣ୍ଡା, ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କାର୍ତିଭାସନ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଜିଲ୍ଲାପାଳ ଓ କମିଶନର ଶୁଭେଚ୍ଛା ଜଣାଇଥିଲେ । ୨୦୧୮ ପର ଠାରୁ ପ୍ରଶାସନ ହାତରେ ଥିବା ଦାୟୀତ୍ୱ ଆଜି ଠାରୁ ଜନ ପ୍ରତିନିଧିଙ୍କ ହାତକୁ ଯାଇଥିବା ବେଳେ ମୌଳିକ କାର୍ଯ୍ୟ ସାଙ୍ଗକୁ ଉନ୍ନୟନ କାର୍ଯ୍ୟ ସହିତ ଲୋକଙ୍କ ନିକଟତର ହୋଇ କର୍ତବ୍ୟ ସମ୍ପାଦନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ପୌର ପରିଷଦ ଗଠନ ହେଲା ପରେ ପ୍ରଶାସନ ଓ ଜନ ପ୍ରତିନିଧି ମାନଙ୍କ ଏହା ପ୍ରଥମ ମିଳିତ ବୈଠକ ଥିଲା । ଲୋକଙ୍କ ପାଇଁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବା, ଲୋକଙ୍କ ସମସ୍ୟା ବୁଝି ସହଯୋଗ ଓ ସହାନୁଭୂତିରେ କାମ କରିବାକୁ ମହାନଗର ନିଗମ କମିଶନର ଶ୍ରୀ ବୋନ୍ଦାର ଉଦବୋଧନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ନିର୍ବାଚିତ କର୍ପୋରେଟରଙ୍କ ସମେତ ବିଇଏମସି କର୍ମଚାରୀ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।