
କେନ୍ଦୁଝର, ରାଜ୍ୟର ରାଜଧାନୀ ଭୁବନେଶ୍ଵରରେ ଲେମ୍ବୁର ଅହେତୁକ ଦର ବୃଦ୍ଧିକୁ ନେଇ ଏବେ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଥିବା ବେଳେ କେନ୍ଦୁଝର ମଧ୍ୟ ଏହି ଦର ବୃଦ୍ଧିରୁ ବାଦ ପଡି ନାହିଁ । ଅବଶ୍ୟ ଖରା ଦିନରେ ଲେମ୍ବୁର ଚାହିଦା ଅନ୍ୟ ଦିନ ଅପେକ୍ଷା ଅଧିକ ରହିଥାଏ । କିନ୍ତୁ, ଗତ ସପ୍ତାହ ପୂର୍ବରୁ କେନ୍ଦୁଝରରେ ଏହି ଲେମ୍ବୁର ଅହେତୁକ ଦର ବୃଦ୍ଧି ଦେଖିବାକୁ ମିଳି ସାରିଲାଣି । ସରକାରଙ୍କ ରେକର୍ଡରେ କେନ୍ଦୁଝର ଏକ ଲେମ୍ବୁ ଉତ୍ପାଦନକାରୀ ଜିଲ୍ଲା ଅଟେ । କିନ୍ତୁ ସେହି ଲେମ୍ବୁ ଉତ୍ପାଦନକାରୀ ଜିଲ୍ଲାରେ ଏବେ ଲେମ୍ବୁର ଦର ରାଜ୍ୟ ରାଜଧାନୀ ଠାରୁ ମଧ୍ୟ ଅଧିକା । କିଛିି ଦିନ ପୂର୍ବେ କେନ୍ଦୁଝରରେ ଯେଉଁ ଲେମ୍ବୁର ମୂଲ୍ୟ ଗୋଟାକୁ ୧୦ ଟଙ୍କାରେ ବିକ୍ରି ହେଉଥିଲା ଏବେ ସେହି ଲେମ୍ବୁର ମୂଲ୍ୟ ୧୫ ଟଙ୍କାରେ ପହଂଚିଅଛି । ଗୋଟାକୁ ୧୫ ଟଙ୍କା ମୂଲ୍ୟ ରହିଥିବା ୪ ଟି ଲେମ୍ବୁକୁ ବ୍ୟବସାୟୀ ମାନେ ୫୦ ଟଙ୍କାରେ ବିକ୍ରୟ କରୁଛନ୍ତି । ଅବଶ୍ୟ କେନ୍ଦୁଝରରେ ଖରା ଦିନରେ ଲେମ୍ବୁ ମିଳିବା କମ ହୋଇଯିବା ସହ ଦାମ ମଧ୍ୟ ସାମାନ୍ୟ ଉଚ୍ଚା ହୋଇଥିଲେ ମଧ୍ୟ ପୂର୍ବରୁ ଏଭଳି କେବେ ବି ପରିସ୍ଥିତି ଦେଖା ଯାଇ ନଥିବା କଥା ବୟସ୍କ ମାନେ ମତ ଦେଉଛନ୍ତି । କିଛି ଦିନ ପୂର୍ବେ ଯେଉଁ ଲେମ୍ବୁ୧୦ ଟଙ୍କାରେ ୪ ଟିରୁ ୬ ଟା ମିଲୁଥିଲା ସେହି ଲେମ୍ବୁ ଏବେ ଗୋଟାକୁ୧୦ ଟଙ୍କାରୁ ୧୫ ଟଙ୍କାରେ ବିକ୍ରି ହେବା , ତାହା ପୁଣି ଲେମ୍ବୁ ଉତ୍ପାଦନକାରୀ ଜିଲ୍ଲାରେ ଏହାଠାରୁ ବଳି ଦୁର୍ଭାଗ୍ୟଜନକ ଘଟଣା ଆଉ କଣ ବା ଥାଇପାରେ । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ସ୍ଵାଭାବିକ ଭାବେ ତୀବ୍ର ହେବାରେ ଲାଗିଛିି ।