-
ରାଜନୈତିକ ଆକ୍ରୋଶରୁ ଉଚ୍ଛେଦ ଅଭିଯୋଗ
-
କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ରାସ୍ତା ଅବରୋଧ , ସାମିଲ ହେଲା ବିଜେପି
ଭୁବନେଶ୍ୱର, ଭୁବନେଶ୍ୱର ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ରାଜନୈତିକ ଆକ୍ରାଶ ରଖି ଏହି ଉଚ୍ଛେଦ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଉଚ୍ଛେଦ ପ୍ରତିବାଦରେ ବିଜେପି ଓ ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ କଟକ-ପୁରୀ ରାସ୍ତାର ଲକ୍ଷ୍ମୀସାଗର ଗୋଲେଇ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି । ଦୋକାନୀମାନଙ୍କୁ କ୍ଷତିପୂରଣ ଓ ଥଇଥାନ ଦାବିରେ ରାସ୍ତା ଅବରୋଧ କରାଯାଇଥିବା ଜଣାଯାଇଛି । ରାସ୍ତା ଅବରୋଧ ଯୋଗୁଁ ରାସ୍ତାରେ ଶହ ଶହ ଗାଡି ଅଟକି ରହିଛି । ପୋଲିସ୍ ସେମାନଙ୍କୁ ବାରଣ କିବାରୁ ପୋଲିସ୍ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଫଳରେ ପୋଲିସ୍ କେତେକ ବିକ୍ଷୋଭକାରୀଙ୍କୁ ଅଟକ ରଖିଥିବା ଜଣାପଡିଛି । ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ପୋଲିସ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚିଥିବା ବେଳେ ୧୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।
ଝାରପଡ଼ା ଗଣେଶ ମଣ୍ଡପ ହାଟର ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି ଯେ ଗତକାଲି ରାତିରେ ସେମାନଙ୍କୁ ଉଚ୍ଛେଦ ସମ୍ପର୍କରେ ସୂଚନା ଦିଆଯାଇଥିଲା । ସେମାନଙ୍କୁ ନିଜ ଦୋକାନ ସାମଗ୍ରୀ ସ୍ଥାନାନ୍ତର କରିବାକୁ ସମୟ ନଦେଇ ଆଜି ଭୋର ୪ ଟାରୁ ଉଚ୍ଛେଦ ଆରମ୍ଭ କରିଦେଇଛି ବିଏମସି । ଏହାଫଳରେ ଅନେକ ବ୍ୟବସାୟୀ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ।
ଘଟଣା ସଂପର୍କରେ ଖବର ପାଇ ପୌର ନିର୍ବାଚନରେ ବିଜେପିର ମେୟର ପ୍ରାର୍ଥୀ ହୋଇଥିବା ଡକ୍ଟର ସୁନୀତି ମୁଣ୍ଡ,ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂହ ଓ ପରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ପହଂଚିଥିଲେ ।ସେମାନେ ଏହାକୁ ରାଜନୈତିକ ଆକ୍ରୋଶ ବୋଲି ଅଭିଯୋଗ କରିଛନ୍ତି । ଯେହେତୁ ସେହି ୱାର୍ଡରେ ବିଜେପିର କର୍ପୋରେଟର୍ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ତେଣୁ ବିଜେଡି ଜାଣିଶୁଣି ଏଭଳି ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ କରାଉଛି ବୋଲି କହିଛନ୍ତି । ବିଡିଏ ଓ ବିଏମସି ପକ୍ଷରୁ ମିଳିତ ଭାବେ ଝାରପଡ଼ା ଗଣେଶ ମଣ୍ଡପ ହାଟ ଉଚ୍ଛେଦ କରାଯାଉଥିବା ଜଣାଯାଇଛି ।
୩ ଏକର ୨୦୭ ଡେସମିଲ ଜାଗାରେ ୨୦୦ରୁ ଉର୍ଦ୍ଧ୍ୱ ଦୋକାନ ଉଚ୍ଛେଦ ହୋଇଛି । ଉଚ୍ଛେଦ ବେଳେ ୧୪୪ ଧାରା ଲାଗୁ କରାଯାଇଥିଲା । ଥଇଥାନ ଓ କ୍ଷତିପୂରଣ ଦାବିରେ ବ୍ୟବସାୟୀ ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି । ବିଜେପି ମେୟର ପ୍ରାର୍ଥୀ ଡକ୍ଟର ସୁନୀତି ମୁଣ୍ଡ, ବିଜେପି ନେତା ବାବୁ ସିଂହ, ଜଗନ୍ନାଥ ପ୍ରଧାନ ଓ ସ୍ଥାନୀୟ ବିଜେପି କର୍ପୋରେଟର୍ ଧରିତ୍ରୀ ଜେନା ପ୍ରମୁଖ ମଧ୍ୟ ରାସ୍ତା ଅବରୋଧରେ ସାମିଲ ହୋଇଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଥିଲା ।