ଭୁବନେଶ୍ୱର , ଆଜି (ଗୁରୁବାର) କଟକ ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପରୋକ୍ଷ ଭୋଟିଂ ହେବ । ୨ରୁ ଅଧିକ ପ୍ରାର୍ଥୀ ରହିଲେ, ରାଉଣ୍ଡ ୱାରି ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ୍ ଭୋଟ ପାଉଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରୁ ଓହରିବେ । ଶେଷ ଦୁଇ ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ ।
ନୂତନ ନିୟମ ଅନୁସାରେ ପୌରସଂସ୍ଥା ଉପାଧ୍ୟକ୍ଷ ଓ ମହାନଗର ନିଗମର ଡେପୁଟି ମେୟର ପଦବୀ ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ତାଙ୍କ ଦଳ ତରଫରୁ ଜଣେ ପ୍ରାଧିକୃତ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ ଓ ସଂପୃକ୍ତ ଦଳର ସଭ୍ୟମାନେ ଉପାଧ୍ୟକ୍ଷ/ଡେପୁଟି ମେୟର ନିର୍ବାଚନରେ ଭୋଟଦେଇ ସେହି ଦଳର ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ ବାକ୍ସରେ ପକାଇବେ ।
ପୌରସଂସ୍ଥାର ଉପାଧ୍ୟକ୍ଷ ପଦବୀ ପାଇଁ ଅପ୍ରେଲ ୭ ତାରିଖ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ସେହିଦିନ ୧୧ଟାରୁ ୧୨ଟା ମଧ୍ୟାହ୍ନ ସୁଦ୍ଧା ନାମାଙ୍କନ ପତ୍ର ଯାଂଚ, ଦିନ ୧ଟା ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ସେହିଦିନ ୧.୩୦ମି.ରୁ ୩.୩୦ ମି. ଭୋଟ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ମତଦାନ, ମତଦାନ ପରେ ପରେ ସେହିଦିନ ଭୋଟଗଣତି ଓ ଭୋଟଗଣତି ପରେ ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
ଅପରପକ୍ଷରେ ବ୍ରହ୍ମପୁର ମହାନଗର ନିଗମ ପାଇଁ ଅପ୍ରେଲ ୮ ତାରିଖ ଏବଂ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ପାଇଁ ଅପ୍ରେଲ ୯ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ମୁନିସିପାଲିଟି ପ୍ରଶାସନର ନିର୍ଦ୍ଦେଶକଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଡେପୁଟି ମେୟର ନିର୍ବାଚନ ପାଇଁ ନିର୍ଦ୍ଧାରିତ ନିର୍ବାଚନ ଦିନ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ୧୧ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଂଚ, ଦିନ ୧ଟା ମଧ୍ୟରେ ନାମାଙ୍କନ ପତ୍ର ପ୍ରତ୍ୟାହାର ଓ ସେହିଦିନ ୧.୩୦ମି.ରୁ ମତଦାନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ମତଦାନ ଜାରି, ମତଦାନ ପରେ ପରେ ଭୋଟଗଣତି ଓ ଭୋଟଗଣତି ପରେ ପରେ ସେହିଦିନ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।