ସମ୍ବଲପୁର, ରୋଗୀ ପରିଜନଙ୍କୁ ହତ୍ୟା ଅଭିଯୋଗ । ବୁର୍ଲା ଭୀମସାରକୁ ଚିକିତ୍ସା ନିମନ୍ତେ ଆସିଥିବା ଜଣେ ରୋଗୀଙ୍କ ପୁଅକୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସେ ଆଜି ସକାଳେ ଶୌଚ ହେବାକୁ ମେଡ଼ିକାଲ ବାହାରକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ମହୁଲପାଲି ଥାନା ଛତାବର ଗ୍ରାମର ଲମ୍ବୋଦର ନାୟକ ବୋଲି ଜଣାପଡିଛି । ବୁର୍ଲା ମେଡିକାଲରେ ତାଙ୍କ ବାପାଙ୍କ ଚିକିତ୍ସା ଚାଲିଥିଲା । ସେ ଆଟେଣ୍ଡାଂଟ ଭାବେ ବାପାଙ୍କ ପାଖେ ପାଖେ ଥିଲେ ।
ପ୍ରାପ୍ତ ସୂଚନା ଅନୁଯାୟୀ, ମହୁଲପାଲି ଅଂଚଳର କପିଳ ନାୟକ ବୁର୍ଲା ଭୀମସାରର ଇଏନଟି ବିଭାଗରେ ଚିକିତ୍ସା ପାଇଁ ଆସିଥିଲେ । ଆଜି ସକାଳେ କପିଳଙ୍କ ପୁଅ ଲମ୍ବୋଦର ଓ ତାଙ୍କ ଭିଣୋଇ ଅଭିନ ସୁନ୍ଦର ଶୌଚ ପାଇଁ ଭୀମସାର ନିକଟ କେନାଲକୁ ଶୌଚ ନିମନ୍ତେ ଯାଇଥିଲେ । ଅଭିନ କେନାଲ ନିକଟରେ ଶୌଚ ହେଉଥିବା ବେଳେ ଲମ୍ବୋଦର ରାସ୍ତା ଉପରେ ଛିଡା ହୋଇଥିଲେ । ଏହି ସମୟରେ କିଛି ଦୁର୍ବୁତ ଲମ୍ବୋଦରଙ୍କ ପେଟରେ କୈାଣସି ଶାଣିତ ମାରଣାସ୍ତ୍ର ଭୁସି ହତ୍ୟା କରିଥିଲେ । ଘଟଣା ପରେ ଅଭିଯୁକ୍ତ ମାନେ ସେଠାରୁ ଫେରାର୍ ହୋଇଯାଇଛନ୍ତି । ଖବର ପାଇ ବୁର୍ଲା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବୁର୍ଲା ମେଡିକାଲକୁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରୀ ରଖିଛି ।