ଭୁୁବନେଶ୍ୱର, ଗ୍ରୀଷ୍ମ ଋତୁ ଆରମ୍ଭରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ବର୍ତମାନ ଜଳ ସମସ୍ୟା ଦେଖାଦେଉଛି ।୨୨ବର୍ଷ ଶାସନ କ୍ଷମତାରେ ରହି ମଧ୍ୟ ଜଳ ସଂରକ୍ଷଣ ବ୍ୟବସ୍ଥାରେ ଫେଲ ହୋଇଥିବା ନବୀନ ସରକାର ରାଜ୍ୟରେ ସାମାନ୍ୟ କେନାଲଟିଏ ମଧ୍ୟ ନିର୍ମାଣ କରିବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ୩୫% ଜମି ଜଳସେଚନ ନାଁରେ ବିଜେଡି ସରକାର ପ୍ରହେଳିକା କରିଆସୁଛନ୍ତି । ୨୦୦୩ରୁ ଫାଇଲ ଚାଷ ଆରମ୍ଭ କରି ୨୦୦୬ରେ ରାଜ୍ୟପାଳଙ୍କ ଭାଷଣରେ ପ୍ରତି ବ୍ଲକରେ ଅତି କମ୍ରେ ୩୫% ଜଳସେଚନ କଥା କହିଥିଲେ ନବୀନ ସରକାର । ଆଜି ୨୦୨୨ରେ ମଧ୍ୟ ରାଜ୍ୟରେ ଜଳସେଚନ କେବଳ କାଗଜ କଲମରେ ସେହି ୩୫%ରେ ଅଟକି ଯାଇଛି । ଏପରିକି କେତେ ଜମି ଜଳସେଚିତ ହୋଇଛି, ତାହାର ତଥ୍ୟ ମଧ୍ୟ ରାଜ୍ୟ ସରକାରଙ୍କ ନିକଟରେ ନାହିଁ । ରାଜ୍ୟ ସରକାର ବାଧକ ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଅଭିଯୋଗ ଆଣିଛନ୍ତି ।
କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଓଡିଶା ରାଜ୍ୟକୁ ଜଳ ସେଚନ ପ୍ରକଳ୍ପ ବାବଦରେ ୮୪୩କୋଟି ଟଙ୍କା ଦେଇଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଟଙ୍କା ଫେରିଗଲା ବୋଲି ସଦ୍ୟ ପ୍ରକାଶିତ ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି । ଅଯଥା ବିଳମ୍ବ କାରଣରୁ ପ୍ରସ୍ତାବିତ ପ୍ରକଳ୍ପଗୁଡିକର ମୂଲ୍ୟ ଅଯଥାରେ ବହୁ ଗୁଣା ବୃଦ୍ଧି ପାଇସାରିଛି । ଏହି ଅନାବଶ୍ୟକ ଆର୍ଥୀକ ବୋଝ ସାଧାରଣ ଓଡିଶାବାସୀଙ୍କ ଉପରେ ଲଦି ଦେଉଛନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି ।
ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନୀତି କାରଣରୁ ରାଜ୍ୟରେ ବର୍ଷାଜଳ ସଂରକ୍ଷଣ ହୋଇପାରୁନାହିଁ ଏବଂ ୮୦ ରୁ ୯୦% ବର୍ଷା ଜଳ ବ୍ୟବହାର ଉପଯୋଗୀ ହୋଇନପାରି ସିଧାସଳଖ ସମୁଦ୍ରରେ ମିଶୁଛି । ଛତିଶଗଡ଼ର କଲମା ବ୍ୟାରେଜ ଲାଗି ଓଡ଼ିଶାର ନଦୀରେ ଏବେ ପାଣି କମିବାରେ ଲାଗୁଛି । ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଂଗରୁ ଓଡ଼ିଶା ଦେଇ ପ୍ରବାହିତ ବିଭିନ୍ନ ନଦୀ ଜରିଆରେ ରାଜ୍ୟକୁ ୩୫.୫୬ଶହ କୋଟି ଘନମିଟର ଜଳ ପ୍ରବେଶ କରୁଛି । ମାତ୍ର ରାଜ୍ୟ ସରକାରଙ୍କ ଅବ୍ୟବସ୍ଥିତ ଜଳ ସଂରକ୍ଷଣ କାରଣରୁ ୨୦୨୫ବେଳକୁ ଏହି ପରିମାଣ ୨୫.୨୭ଶହ କୋଟି ଘନମିଟରକୁ ହ୍ରାସ ପାଇବାର ଆଶଂକା ସୃଷ୍ଟି ହୋଇଥିବାବେଳେ ରାଜ୍ୟ ସରକାରଙ୍କ ସେଥିପ୍ରତି ଆଦୌ ଧ୍ୟାନ ନାହିଁ ।
କୃଷି କ୍ଷେତ୍ରରେ ୭୮% ବା ୧୦୩୬କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ରାଜ୍ୟ ସରକାର ହରାଇଛନ୍ତି । ୨୦୨୧ ମସିହାରେ ଓଡ଼ିଶାର କୃଷକମାନଙ୍କ ପାଇଁ ୧୩୩୪କୋଟି ଟଙ୍କାର ବଜେଟ ବ୍ୟବସ୍ଥା ରହିଥିଲା । ୨୦୨୧ରେ ଆର୍ôଥକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାରେ ୨୯୮କୋଟି ଟଙ୍କା କୃଷକ ଫଣ୍ଡକୁ ମିଳିଲା । ମାତ୍ର ରାଜ୍ୟସରକାରଙ୍କ ଅପାରଗତା କାରଣରୁ ବର୍ଷ ଶେଷ ସୁଦ୍ଧା ସମୁଦାୟ ଆର୍ଥିକ ଅନୁଦାନର ମାତ୍ର ୧୨ ପ୍ରତିଶତ ଖର୍ଚ୍ଚ ହୋଇଥିଲା ।
ଜଗତସିଂହପୁର ଜିଲ୍ଲାରେ ମହାନଦୀ, ଦେବୀ, ଚିତ୍ରୋତ୍ପଳା ଓ ପାଇକା ନଦୀରେ ପାଣି ନାହିଁ । ଏହି ନଦୀ ଗୁଡ଼ିକ ପୋତି ହୋଇଯାଇ ଥିବାବେଳେ ଗ୍ରୀଷ୍ମ ଦିନରେ ଶୁଖି ଯାଉଛି । ରାଜ୍ୟ ସରକାର ଏହି ନଦୀଗୁଡ଼ିକ ଖୋଳିବା ସହ ନଦୀବନ୍ଧ ପାଇଁ ଆଦୌ ଧ୍ୟାନ ଦେଉନାହାନ୍ତି । ତାଳଦଣ୍ଡା କେନାଲ, ମାଛଗାଁରେ କେନାଲ ଅଛି କିନ୍ତୁ ପାଣିନାହିଁ । ୬ଟି ନଦୀ ଏବେ ମୃତବତ ରହିଥିବାବେଳେ ୪ଟି ମୃତ୍ୟୁ ଅପେକ୍ଷାରେ ରହିଛି । ହଂସୁଆ, ଧନୁଆ, ଗୋବରୀ ଓ ବୃଦ୍ଧାନଦୀର ମୃତ୍ୟୁ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ସବୁ ଜାଣିବି ନଜାଣିଲା ପରି ଅଭିନୟ କରୁଛନ୍ତି । ଓଡ଼ିଶାର ସୁନାନଦୀ, ମଲଦା, ଜଳପା, ରାଣୀମା ଭଳି ଉପନଦୀ ବୈତରଣୀରେ ମିଶିଥିବାବେଳେ ତଳ ଭାଗରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ କଙ୍ଗିରା, ମାଛକାନ୍ଦଣା, ଅରଡେଇ, କାନଝରୀ, ସୀତା, କୁକୁରକଟା ଉପନଦୀର ରକ୍ଷଣା ବେକ୍ଷଣ ଅଭାବ ରହିଛି । ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନନେଇ କେନ୍ଦ୍ରୀୟ ଅନୁଦାନକୁ ଫେରାଇ ଦେଉଛନ୍ତି । ଯେଉଁ ନଦୀରେ ସ୍ୱଳ୍ପ ଜଳ ରହୁଛି ତାହାକୁ ଶିଳ୍ପସଂସ୍ଥାମାନେ ନେଉଛନ୍ତି । ନଦୀରୁ ଶିଳ୍ପ ସଂସ୍ଥାମାନେ ମାର୍ଚ୍ଚ ମାସରେ ୭୨%, ଏପ୍ରିଲ ମାସରେ ୮୭%, ମଇ ମାସରେ ୪୯% ଶୋଷି ନେଇଛନ୍ତି । ଏହି ପାଣି ସମସ୍ୟା ପ୍ରତ୍ୟେକ ଜିଲ୍ଲାରେ ଦେଖାଦେଉଛି । ଦୟାନଦୀ କେନାଲ ପାଣି ଆସୁନାହିଁ । ରାଜଧାନୀରେ ଦୟା ୱେଷ୍ଟ କେନାଲରେ ଆଜିକୁ ୫ବର୍ଷ ବିତିଯାଇଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ରାଜ୍ୟ ସରକାର କରୁନାହାନ୍ତି । କଳାଝରୀ, କାଳାରାହାଙ୍ଗ, ଇଞ୍ଜଣା, ପଟିଆ, ଭୋଟପଡ଼ା, ମଂଚେଶ୍ୱର, ଚକେଇସିଆଣି ଓ ପଳାଶୁଣି ଅଂଚଳରେ ପାଣି ସମସ୍ୟା ପ୍ରତ୍ୟେକ ବର୍ଷ ଦେଖାଦେଉଛି । ୫ବର୍ଷରୁ ଊର୍ଦ୍ଧ୍ୱ ହେଲା କାନପୁର ଗେଟ ଖୋଲା ହୋଇନାହିଁ । ରାଜ୍ୟର ଏହି ପାଣି ସମସ୍ୟା ଦୂର କରିବାକୁ ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।
ବିଧାନସଭାରେ ବଜେଟ୍ ଅଧିବେଶନବେଳେ ରାଜ୍ୟର କୃଷିମନ୍ତ୍ରୀ ରାଜ୍ୟରେ ଚାଷର ଉନ୍ନତି ହୋଇଛି ବୋଲି ଡିଣ୍ଡିମ ପିଟୁଥିଲାବେଳେ ବାସ୍ତବରେ ଏହା ବିଧାନସଭାରେ ପ୍ରଶ୍ନର ଉତରରେ ସୀମିତ । ମା’, ମାଟି ଓ ଜଳ ପାଇଁ ବିଜେପି ସର୍ବଦା ଲଢ଼େଇ କରୁଛି ଓ ଭବିଷ୍ୟତରେ କରିବ । ଏଥିରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ । ଶାସକ ବିଜୁ ଜନତା ଦଳ କେବଳ ରାଜ୍ୟବାସୀଙ୍କୁ ପ୍ରତାରଣା କରି ଶସ୍ତା ରାଜନୀତି କରୁଛି । ଜନତାଙ୍କ ସୁରକ୍ଷା ଓ ରାଜ୍ୟର ବିକାଶକୁ ଗୁରୁତ୍ୱ ଦେଇ ଭାରତୀୟ ଜନତା ପାର୍ଟି ସର୍ବଦା ଲଢ଼େଇ ଜାରୀ ରଖିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।