
ଭୁବନ, ସବୁ କଳ୍ପନା ଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟାଇ ଭୁବନ ଏନଏସି ଅନ୍ତର୍ଗତ ୩ ନମ୍ବର ୱାର୍ଡର କାଉନସିଲର ମାନିନୀ ସାହୁ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ମାନିନୀ ସାହୁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୮ ନମ୍ବର ୱାର୍ଡର କାଉନସିଲର ସସ୍ମିତା ନାୟକ ବିଜେପି ଦଳରୁ ଉପାଧ୍ୟକ୍ଷା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ଉଭୟ ଦଳର ସମସ୍ତ (୧୫ ଜଣ) କାଉନସିଲର ଉପସ୍ଥିତ ରହି ଭୋଟ ଦେଇଥିଲେ । ମାନିନୀଙ୍କୁ ୮ଖଣ୍ଡ ଭୋଟ ମିଳିଥିବା ବେଳେ ସସ୍ମିତାଙ୍କୁ ୭ ଖଣ୍ଡ ଭୋଟ ମିଳିଥିଲା । ବିଜେଡି ପ୍ରାର୍ଥୀନୀ ମାନିନୀ ୧ ଖଣ୍ଡ ଭୋଟ ଅଧିକ ପାଇ ନିର୍ବାଚିତ ହେଲେ ବୋଲି ନିର୍ବାଚନ ଅଧିକାରୀ ଡଃ. ରୋଜାଲିନ ବେହେରା ଘୋଷଣା କରିଥିଲେ ।
ବିଜୟ ଘୋଷଣା ପରେ ନଗରପାଳ ଶୁଭେନ୍ଦୁ ସାହୁଙ୍କ ସମେତ ଦଳୀୟ କର୍ମୀମାନେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ନବ ନିର୍ବାଚିତା ଉପାଧ୍ୟକ୍ଷା ଶ୍ରୀମତୀ ମାନିନୀ ସାହୁ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହିତ ଲୋକମାନେ ଯେଉଁ ଆଶା ଭରସା ଓ ବିଶ୍ୱାସ ରଖି ଆମମାନଙ୍କୁ ନିର୍ବାଚିତ କରିଛନ୍ତି ଓ ଗୁରୁ ଦାୟିତ୍ୱ ଦେଇଛନ୍ତି, ଆମ୍ଭେମାନେ ସେଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ସହିତ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବାକୁ ସେ ସମସ୍ତ କାଉନସିଲର ମାନଙ୍କୁ ଆହ୍ୱାନ ଦେଇଥିଲେ ।