
ମାଲକାନଗିରି, ବଡ଼ ଧରଣର ଗଞ୍ଜେଇ ଚାଲାଣ ରୋକିବାରେ ମାଲକାନଗିରି ଜିଲ୍ଲା କାଲିମେଳା ପୁଲିସକୁ ମିଳିଛି ସଫଳତା । ଏକ ତେନ୍ତୁଳି ବୋଝେଇ ଟ୍ରକ୍ରୁ ଜବତ ହୋଇଛି ୬୩ ବସ୍ତା ଗଞ୍ଜେଇ । ଯାହାର ଓଜନ ୧୫ କ୍ଵିଣ୍ଟାଲ ୩୧ କେଜି ୧୦୦ ଗ୍ରାମ ବୋଲି ଜଣାପଡ଼ିଛି । ଏହି କାରବାରରେ ପୁଲିସ୍ ୨ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି । ସେମାନେ ହେଲେ ରାଜସ୍ଥାନ ଅଞ୍ଚଳର କହ୍ନାରାମ ଚୌଧୁରୀ ଏବଂ ଏମ୍ଭି – ୭୦ ଗାଁର ପ୍ରଥମ ପାତ୍ର । ସ୍ଥାନୀୟ ତେଲରାଇ ଗାଁ ନିକଟରୁ ଏହି ଗଞ୍ଜେଇ ବୋଝେଇ ଟ୍ରକ୍କୁ ଜବତ କରାଯାଇଛି । ୧୪ ଚକିଆ ଏହି ଟ୍ରକ୍ର ନମ୍ବର ହେଉଛି ଆର୍କେ – ୦୭ଜିଏ – ୪୯୧୮ । ଟ୍ରକ୍ ଡାଲାର ଚାରିପାଖରେ ତେନ୍ତୁଳି ରଖାଯାଇଥିବା ବେଳେ ମଝିରେ ରହିଥିଲା ଗଞ୍ଜେଇ । ଟ୍ରକ୍ଟି ତେଲରାଇ ଗାଁ ନିକଟରୁ ୩୨୬ ନମ୍ବର ଜାତୀୟ ରାଜପଥରେ ପହଞ୍ଚିବା ପରେ ରାଜସ୍ଥାନ ଚାଲାଣ ହୋଇଥାନ୍ତା । କୌଣସି ସୂତ୍ରରୁ ଖବରପାଇ ପୁଲିସ୍ ଏହାକୁ ତେଲରାଇ ଗାଁ ପାଖରୁ ଧରିବାରେ ସଫଳ ହୋଇଥିଲା ।
ପୁଲିସର ସୂଚନା ଅନୁଯାୟୀ , କିଛି ଦିନ ତଳେ ଏହି ଟ୍ରକ୍ରେ ଟାଇଲ୍ସ ଆସି କାଲିମେଳା ଠାରେ ଅନ୍ଲୋଡ୍ କରାଯାଇଥିଲା । ଫେରିବା ସମୟରେ ଟ୍ରକ୍ରେ ତେନ୍ତୁଳି ଓ ଗଞ୍ଜେଇ ରଖାଯାଇ ଅଭିନବ ଉପାୟରେ ଚାଲାଣ କରାଯାଉଥିଲା । ଗଞ୍ଜେଇ ବୋଝେଇ ଟ୍ରକ୍କୁ ଥାନା ପରିସରରେ ରଖାଯାଇଛି । ଏସ୍ଡିପିଓ ଶୁଭେନ୍ଦୁ କୁମାର ପାତ୍ର ଥାନାରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି ।