
ଭଦ୍ରକ, ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିର ବାକିଥିବା ୱାର୍ଡରେ ଗତକାଲି ମତଦାନ ଶେଷ ହୋଇଥିବା ବେଳେ ଆଜି ଗଣତି ଆରମ୍ଭ ହୋଇଛି। ତହସିଲ ଅଫିସ ନିକଟ କଲ୍ୟାଣ ମଣ୍ଡପରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ଭୋଟ୍ ଗଣତି ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଣତି କେନ୍ଦ୍ର ପାଖରେ ଭଦ୍ରକ ଉପଜିଲ୍ଲାପାଳ ୧୪୪ ଧାରା ଲାଗୁ କରିଛନ୍ତି। ଏହି କଟକଣା ଗତ ରାତି ୯ଟାରୁ ଲାଗୁ ହୋଇଥିବା ବେଳେ ଏହା ଆସନ୍ତାକାଲି ସକାଳ ୬ଟା ଯାଏ ବଳବତ୍ତର ରହିବ ।
ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍ଏସିର ୬ଟି ବୁଥ୍ରେ ମତଦାନ ବେଳେ ଗଣ୍ଡଗୋଳ ଓ ହିଂସାକାଣ୍ଡ ହୋଇଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଧାମନଗର ଏନ୍ଏସିର ୨ ନମ୍ବର ୱାର୍ଡର ୩ ନଂ ବୁଥ୍, ୫ ନମ୍ବର ୱାର୍ଡର ୮ ଓ ୯, ୯ ନମ୍ବର ୱାର୍ଡର ୧୬, ୧୦ ନମ୍ବର ୱାର୍ଡର ୧୭ ଓ ୧୮ ନମ୍ବର ବୁଥ୍ରେ ପୁନଃମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଏହାପରେ ଗତକାଲି ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଥିଲା।