-
ନିଜକୁ ଭଲ ନଲାଗିବାରୁ ରୋଷ ଘରେ ପଶି ଚୁଲା ଭାଙ୍ଗିଥିଲା ଅଭିଯୁକ୍ତ- ଏସପି
ପୁରୀ, ଶ୍ରୀମନ୍ଦିର ରୋଷଘର ଚୁଲା ଭାଙ୍ଗିବା ଘଟଣାର ପର୍ଦାଫାଶ କରିଛି ପୋଲିସ । ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ. ବିଶାଲ ସିଂହ କହିଛନ୍ତି ଯେ, ସିସିଟିଭି ଆଧାରରେ ଜଣେ ସନ୍ଦିଗ୍ଧକୁ ଗିରଫ କରାଯାଇଛି । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ତାର ନାମ ଜେ. ମହାପାତ୍ର । ବୟସ ୩୦ ବର୍ଷ । ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଂଚଳରେ । ବର୍ତମାନ ମାମଲା ତଦନ୍ତାଧିନ ଥିବାରୁ ସମ୍ପୂର୍ଣ୍ଣ ପରିଚୟ ଗୋପନ ରଖାଯାଇଛି । ଏପରିକି ଅଭିଯୁକ୍ତର ମାନସିକ ସ୍ଥିତି ଯାଂଚ୍ ପାଇଁ ବିଶେଷଜ୍ଞଙ୍କ ସହାୟତା ନିଆଯିବ ବୋଲି ସେ କହିଛନ୍ତି ।
ଏନେଇ ଅଧିକ ସୂଚନା ଦେଇ ଏସପି ଶ୍ରୀ ସିଂହ କହିଛନ୍ତି ଯେ, ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗା କାଣ୍ଡ ଭିଆଇଥିବା ସ୍ୱୀକାର କରିଛି ଅଭିଯୁକ୍ତ ଜେ. ମହାପାତ୍ର । ଅଭିଯୁକ୍ତ ଘଟଣା ଦିନ ମନ୍ଦିରକୁ ଆସିଥିଲା ଏବଂ ବୁଲିଥିଲା । ନିଜକୁ ଭଲ ନଲାଗିବାରୁ ସେ ରୋଷ ଘରେ ପଶି ଚୁଲା ଭାଙ୍ଗିଥିବା ସ୍ୱିକାର କରିଛି । ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରାଯିବ ।
ପ୍ରକାଶ ଥାଉ କି, ଗତକାଲି ପୋଲିସ ଅଭିଯୁକ୍ତକୁ ଖୋର୍ଦ୍ଧାରୁ ଗିରଫ କରିବାରେ ସଫଳ ହୋଇଥିଲା ।