ଗଞ୍ଜାମ, ମାତ୍ର ତିନି ଜଣ ଡାକ୍ତରରେ ଚାଲିଛି ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ସ୍ଵାସ୍ଥ୍ୟକେନ୍ଦ୍ର । ଏହି ଡାକ୍ତରଖାନାରେ ୬୦ ଟି ଶଯ୍ୟା ଥିବା ବେଳେ ଦୈନିକ ୩୦୦ ରୁ ଅଧିକ ଲୋକ ଚିକିତ୍ସା ପାଇଁ ଆସିଥାନ୍ତି । ସେହିପରି ମାସିକ ଶତାଧିକ ଗର୍ଭବତୀ ପ୍ରସବ ପାଇଁ ଆସିଥାନ୍ତି । ବାର୍ଷିକ ଉକ୍ତ ସ୍ଵାସ୍ଥ୍ୟକେନ୍ଦ୍ରରେ ୨୦୦ ରୁ ଅଧିକ ଶବ ବ୍ୟବଚ୍ଛେଦ ହୋଇଥାଏ । କିନ୍ତୁ, ସବୁଠୁ ଦୁଃଖର ବିଷୟ ସବଡିଭିଜନ ଡାକ୍ତରଖାନାର ମାନ୍ୟତା ପାଇବା ପରେ ବି ଏହି ଡାକ୍ତରଖାନା ଅବ୍ୟବସ୍ଥାଘେରରେ ଚାଲିଛି । ସ୍ଵାସ୍ଥ୍ୟକେନ୍ଦ୍ରରେ ଜଣେ ଶିଶୁରୋଗ ବିଶେଷଜ୍ଞ ଓ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସମେତ ମୋଟ୍ ୩ ଜଣ ଡାକ୍ତର ରହିଛନ୍ତି । କିନ୍ତୁ, ଅଧିକ ଦାୟୀତ୍ଵ ରହୁଥିବାରୁ ସେମାନେ ମଧ୍ୟ ରୋଗୀଙ୍କୁ ଆବଶ୍ୟକ ସ୍ଵାସ୍ଥ୍ୟସେବା ଯୋଗାଇ ପାରୁନାହାଁନ୍ତି । ଆସିକା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ଉପଖଣ୍ଡ ସ୍ଵାସ୍ଥ୍ୟକେନ୍ଦ୍ରକୁ ଉନ୍ନିତ ହେବାକୁ ଇତିମଧ୍ୟରେ ୩ ବର୍ଷ ବିତିଛି । ହେଲେ ଅନେକ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ସେଗୁଡିକୁ ପୂରଣ କରିବା ଦିଗରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଉନାହିଁ ।
ଚିକିତ୍ସା ପାଇଁ ଆସିକା ଉପଖଣ୍ଡ ସ୍ଵାସ୍ଥ୍ୟକେନ୍ଦ୍ର ଉପରେ ଆସିକା ସମେତ ଧରାକୋଟ, ଶେରଗଡ଼, ବେଲଗୁଣ୍ଠା, ବୁଗୁଡ଼ା, ସୋରଡ଼ା ଓ କବିସୂର୍ଯ୍ୟନଗର ବ୍ଲକର ଲୋକେ ନିର୍ଭର କରିଥାନ୍ତି । ମାସିକ ହାରାହାରି ୩୦୦ ରୁ ଅଧିକ ପ୍ରସୂତୀ ପ୍ରସବ ପାଇଁ ଏଠାକୁ ଆସିଥାନ୍ତି । ହେଲେ ଦୀର୍ଘ ବର୍ଷ ହେଲା ଏଠାରେ କେହି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନଥିବାରୁ ସେମାନେ ଅନେକ ସମସ୍ୟାରେ ପଡିଥାନ୍ତି । ୧୦ ବର୍ଷରୁ ଅଧିକ ହେବ ଓ.ଟି.ରେ ତାଲା ଝୁଲୁଛି । ଲକ୍ଷାଧିକ ଟଙ୍କାର ମେଡିକାଲ ଯନ୍ତ୍ରାଂଶ ପଡି ଖତ ଖାଉଛି । ବିଶେଷଜ୍ଞ ଅଭାବରୁ ବ୍ଲଡ ଷ୍ଟୋରେଜ୍ ୟୁନିଟ୍ ଅଚଳ ହୋଇପଡିଛି । ଲୋକେ ସରକାରୀ ଚିକିତ୍ସା ସୁବିଧା ନପାଇ ବାଧ୍ୟ ହୋଇ କ୍ବାକ୍ ତଥା ବେସରକାରୀ ଚିକିତ୍ସା କେନ୍ଦ୍ରକୁ ଯାଇ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ।
ଗତ କିଛି ବର୍ଷ ହେଲା ଆସିକା ସହରରେ ୧୫ ରୁ ଅଧିକ ଔଷଧ ଦୋକାନ ସ୍ୱାସ୍ଥ୍ୟସେବାର ଦାୟୀତ୍ଵ ନେଇଛନ୍ତି । ସେମାନଙ୍କ ନେତୃତ୍ଵରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ବିଶେଷଜ୍ଞ ଡାକ୍ତର ଆସି ଏଠାରେ ସ୍ଵାସ୍ଥ୍ୟସେବା ଯୋଗାଉଛନ୍ତି । ଔଷଧ ଦୋକାନ ସମ୍ମୁଖରେ ଘଂଟା ଘଂଟା ଧରି ରୋଗୀଙ୍କ ଧାଡି ଲାଗୁଛି । ଅନେକ ବରିଷ୍ଠ ନାଗରିକ ଓ ପ୍ରସୂତି ଉପଯୁକ୍ତ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି । ଏପରି ସ୍ଥିତିରେ ଆସିକା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଛୋଟରୁ ଛୋଟ ସ୍ଵାସ୍ଥ୍ୟ ସମସ୍ୟା ପାଇଁ ରୋଗୀଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଉଛି । ସ୍ଵାସ୍ଥ୍ୟ ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।