ଜୟପୁର – ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବୀରେ ଓକିଲଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଡିସେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜିକୁ ଏହା ୧୦ ମାସରେ ପହଂଚିଛି । ଦୀର୍ଘ ୧୦ ମାସ ହେବ ହାଇକୋର୍ଟ ବେଂଚ ଦାବୀରେ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜିି କ୍ରିୟାନୁଷ୍ଠାନ କମିଟି ସେମିଳିଗୁଡା ଠାରେ ଏକ ବୈଠକର ଆୟୋଜନ କରି ପୁଣି ଏହି ଆନ୍ଦୋଳନକୁ ଆସନ୍ତା ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ କୋର୍ଟ ବର୍ଜନ କରିବାକୁ ସର୍ବ ସମ୍ମତି କ୍ରମେ ନିଷ୍ପତି ହୋଇଛି । ଇତିମଧ୍ୟରେ ଅବିଭକ୍ତ କୋରାପୁଟ ଜିଲାର ଆଦିବାସୀ ସଂଘକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏପରିକି ଆସନ୍ତା୧୪ ତାରିଖରେ ହେବାକୁ ଥିବା ଜାତୀୟ ଅଦାଲତକୁ ମଧ୍ୟ ଅବିଭକ୍ତ କୋରାପୁଟ ଜିଲାରେ ବନ୍ଦ କରାଯିବ, ସମସ୍ତ ସାଂସଦ, ବିଧାୟକ ସର୍ବଦଳିୟ ନେତାଙ୍କ ସହ ଆଇନଜୀବିଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବୀ ପୂରଣ ପାଇଁ ଚାପ ପକାଇବା ସହ ରାଜ୍ୟ ବାର୍ କାଉନସିଲକୁ ମଧ୍ୟ ଏ ସମ୍ବଳିତ ଏକ ଦାବି ପତ୍ର ପ୍ରେରଣ ପାଇଁ ନିଷ୍ପତି ହୋଇଛି ।
ପ୍ରତ୍ୟେକ ମାସର ୨ ଦିନ ଆଇନଜିବୀଙ୍କ ପକ୍ଷରୁ କୋର୍ଟ ବର୍ଜନ ଚାଲୁଥିବା ବେଳେ ଚଳିତ ମାସ ଠାରୁ ମାସର ଶେଷ ୭ ଦିନ କୋର୍ଟ ବନ୍ଦ ରହିବ । ହାଇକୋର୍ଟ ସ୍ଥାୟୀ ବେଞ୍ଜ ନହେବା ଯାଏ ଏପରି ଆନ୍ଦୋଳନ ଜାରି ରହିବା ସହ ଏହି ଆନ୍ଦୋଳନକୁ ଅବିଭକ୍ତ କୋରାପୁଟ ଜିଲାର ସମସ୍ତ ବାର୍ ସହଯୋଗ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ପରବର୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ସଂଘ ସୂଚନା ଦେଇଛି । ଆନ୍ଦୋଳନ ଜାରି ରହିଥିବାରୁ କୈାଣସି ମାମଲାର ଶୁଣାଣି ହୋଇପାରିବ ନାହିଁ କିମ୍ବା ସାକ୍ଷ୍ୟ ଗ୍ରହଣ ମଧ୍ୟ ହୋଇପାରିବ ନାହିଁ ବୋଲି ସଂଘ ସ୍ପଷ୍ଟ କରିଛି । ଅବିଭକ୍ତ କୋରାପୁଟ ଜିଲାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ନେଇ ଦୀର୍ଘ ୧୫ ବର୍ଷ ହେବ ଦାବି ହୋଇ ଆସୁଛି । ଏହାକୁ ନେଇ ରାଜ୍ୟ ସରକାର ପାଲ୍ କମିଶନ ଗଠନ କରିଥିଲେ । ଜସଓନ୍ତ ସିଂ ରିପୋର୍ଟ ଅନୁସାରେ ଜୟପୁର ଠାରେ ହାଇକୋର୍ଟ ବେଂଚ ପାଇଁ ସବୁ ସର୍ତ ପୁରଣ କରୁଥିବା କହିଛି । ହାଇକୋର୍ଟ ବେଂଚ ପାଇଁ ଯାହା ଭିତିଭୂମିି ଦରକାର ତାହା ସବୁ ଏଠାରେ ରହିଥିବା ବେଳେ ତୁରନ୍ତ ରାଜ୍ୟ ସରକାର ଏଠାରେ ବେଂଚ ପ୍ରତିଷ୍ଠା ଦିଗରେ କେନ୍ଦ୍ର କୁ ସୁପାରିଶ କରନ୍ତୁ ବୋଲି ସଂଘ ଦାବୀ କରିଛି । ବିଶେଷ କରି ଅଜ୍ଞନତା ହେତୁ ଏ ଅଂଚଳର ବହୁ ଆଦିବାସୀ ଓ ହରିଜନ ଶ୍ରେଣିର ଲୋକ ମାନେ ହାଇକୋର୍ଟରେ ମାମଲା ନ ଲଢିପାରି ନିଜ ଅଧିକାର ହରାଇ ବସୁଛନ୍ତି । ଓଡିଶାର ଯେଉଁ ସବୁ ସହର ଗୁଡିକରୁ ହାଇକୋର୍ଟ ବେଂଚ ପ୍ରତିଷ୍ଠା ନେଇ ଦାବି ହୋଇ ଆସୁଛି ସେଗୁଡିକ କଟକ ଠାରୁ ଜୟପୁର ଅପେକ୍ଷା ନିକଟରେ ଅଛନ୍ତି । ତେଣୁ ରାଜ୍ୟ ସରକାର ଏହି ପଛୁଆ, ମାଓପ୍ରବଣ, ଗମନା ଗମନ କ୍ଷେତ୍ରରେ ଅବହେଳିତ ଏବଂ ସାକ୍ଷରତା ଦୃଷ୍ଟିରୁ ପଛରେ ରହିଥିବା ଅଂଚଳକୁ ପ୍ରାଧାନ୍ୟ ଦେଇ ଜୟପୁର ଠାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା କରିବାକୁ ନିଷ୍ପତି ନିଆଯାଉ ବୋଲି କମିଟି ଦାବୀ କରିଛି ।
ଓକିଲ ମାନଙ୍କ ଏହି ଆନ୍ଦୋଳନ ଯୋଗୁଁ ଜାମିନ୍ ହେଉନଥିବା ସହ ଶୁଣାଣି ମଧ୍ୟ ହୋଇ ପାରୁ ନଥିବାରୁ ମହକିଲ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜେଲ୍ ରେ ବିଚାରାଧିନ କଏଦୀଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟ ସରକାର ହସ୍ତକ୍ଷେପ ନକଲେ ସାଧାରଣ ଜନତା ହଇରାଣ ହେଉଛନ୍ତି ।