-
୧୫ ଦିନ ହେଲା ବଜାର ବନ୍ଦ
-
୫ ଅଭିଯୁକ୍ତ ହିଞ୍ଜିଳିକାଟୁ ପୋଲିସ ରିମାଣ୍ଡରେ
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପିତଳ ଛକରେ ଗତ ୨୨ ତାରିଖରେ ୪ ଜଣଙ୍କୁ ପିଟି ପିଟି ହତ୍ୟା ଘଟଣାରେ ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳି ସାହୁଙ୍କ ପୁଅ ଶମ୍ଭୁ ସ୍ୱାଇଁ, ପାଣ୍ଡବ ସ୍ୱାଇଁ, ରାଜା ସ୍ୱାଇଁ ଓ ପୁତୁରା ଚନ୍ଦନ ସ୍ୱାଇଁଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ମାମଲାରେ ହିଞ୍ଜିଳି ଥାନା ପୋଲିସ ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ରାମଚନ୍ଦ୍ରପୁର ଗ୍ରାମର ସାଧୁ ଓରଫ ଅମୀୟ ସ୍ୱାଇଁଙ୍କ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେହିପରି ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଫେରାର୍ ରହିଛି । ତେବେ ଘଟଣା ବିଷୟରେ ଅଧିକ ତଥ୍ୟ ଉଗାଳିବା ଲାଗି ପୋଲିସ ଆଜି ଗିରଫ ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି । ଶେରଗଡ଼ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଅଭିଯୁକ୍ତ ମାନଙ୍କର ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । ୪ ଦିନ ହେଲା ଏହାକୁ ମଞ୍ଜୁରି ମିଳିଥିବା ବେଳେ ଆଜି ସେମାନଙ୍କୁ ହିଞ୍ଜିଳିକାଟୁ ପୋଲିସ ରିମାଣ୍ଡରେ ଆଣି ଜେରା କରୁଛି । ପୋଲିସ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି । ପ୍ରକୃତରେ ସାମାନ୍ୟ କମେଂଟ ମରାକୁ ନେଇ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ପୋଲିସ ସେ ସମ୍ପର୍କରେ ଅଧିକ ତଥ୍ୟ ଏକାଠି କରିବାକୁ ପ୍ରଚେଷ୍ଟା ଚଳାଇଛି ।
ଅନ୍ୟପକ୍ଷରେ ଏହି ଘଟଣାକୁ ୧୪ ଦିନ ବିତି ଯାଇଥିଲେ ସୁଦ୍ଧା ଏଯାବତ୍ ପିତଳ ଛକର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ଛକରେ ନିରବତା ରାଜୁତି କରୁଥିବା ସହ ସମ୍ଭବ୍ୟ ପରିସ୍ଥିତିକୁ ନଜରରେ ରଖି ହିଞ୍ଜିଳି ପୋଲିସ ପକ୍ଷରୁ ଫୋର୍ସ ମୁତୟନ ଅଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ପିତଳ ଛକରେ ଫାଣ୍ଡି ପ୍ରତିଷ୍ଠା ଏବଂ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦାବିରେ ଛକର ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।