ଗଞ୍ଜାମ ,ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ତୃତୀୟ ପାଳି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।
ଆଜି ମଧ୍ୟରାତ୍ରରୁ ଦ୍ୱାରଫିଟା, ମଙ୍ଗଳଆଳତୀ ଓ ନୈବେଦ୍ୟ ଅର୍ପଣ ପରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଧାଡ଼ି ଲାଗିଥିଲା । ଶ୍ରଦ୍ଧାଳୁ ମାନେ ପାହାଡ଼ ଉପରକୁ ପାଦଚଲା ରାସ୍ତା ମନ୍ଦିର ଦ୍ୱାରା ନିୟୋଜିତ ସ୍ୱତନ୍ତ୍ର ବସ୍ ଓ ରୋପ ୱେ ରେ ପାହାଡ଼ ଉପରକୁ ଯାଇ ଦେବୀଙ୍କ ଦର୍ଶନ କରୁଛନ୍ତି । କରୋନା କଟକଣାକୁ ଅନୁପାଳନ କରି ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ମାଙ୍କ ଦର୍ଶନ କରୁଛନ୍ତି । ହଜାର ହଜାର ଶିଶୁଙ୍କ ପ୍ରଥମ କେଶ ଦେବୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯିବା ସହ ପର୍ବତ ପାଦ ଦେଶରେ ଭୋଜିଭାତର ଆୟୋଜନ ମଧ୍ୟ ଚାଲିଛି । ଯାତ୍ରୀଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି । ଦୀର୍ଘ ୨ ବର୍ଷ ହେଲା କରୋନା କଟକଣା କାରଣରୁ ଏହି ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଚଳିତ ବର୍ଷ ଯାତ୍ରାର ଆୟୋଜନ ହୋଇଥିବାରୁ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।