
ନୂଆଦିଲ୍ଲୀ, ଭାରତ ବିରୋଧରେ ମିଥ୍ୟା ଖବର ପ୍ରସାରଣ କରୁଥିବା ୨୨ଟି ୟୁଟ୍ୟୁବ୍ ସମାଚାର ଚ୍ୟାନେଲ, ୩ଟି ଟୁଇଟର ଆକାଉଂଟ, ଗୋଟିଏ ଫେସବୁକ ଆକାଉଂଟ ଏବଂ ଗୋଟିଏ ସମାଚାର ୱେବସାଇଟ୍ କୁ ବ୍ଲକ୍ କରିବାଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ଆଇଟି ନିୟମାବଳୀ ୨୦୨୧ ଆଧାରରେ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବ୍ଲକ୍ ହୋଇଥିବା ୟୁଟ୍ୟୁବ୍ ଚ୍ୟାନେଲକୁ ପାଖାପାଖି ୨୬୦ କୋଟି ଦର୍ଶକ ଦେଖିଥିଲେ । ଏଗୁଡ଼ିକୁ ମିଛ ଖବର ପ୍ରସାରଣ ପାଇଁ ଉପଯୋଗ କରାଯାଉଥିଲା । ଜାତୀୟ ସୁରକ୍ଷା, ଭାରତର ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମିଛ ଖବର ପ୍ରସାରଣ କରାଯାଇ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଥିଲା ।
ପ୍ରଥମଥର ପାଇଁ ଭାରତରୁ ପରିଚାଳିତ ୟୁଟ୍ୟୁବ ନ୍ୟୁଜ୍ (ସମାଚାର) ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତବର୍ଷ ଫେବୃଆରୀରେ ଆଇଟି ନିୟମାବଳୀ, ୨୦୨୧ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରଥମଥର ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ନୂଆ ଆଦେଶରେ ଭାରତରୁ ପରିଚାଳିତ ହେଉଥିବା ୧୮ଟି ଏବଂ ପାକିସ୍ତାନରୁ ପରିଚାଳିତ ହେଉଥିବା ୪ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କରାଯାଇଛି ।
ଭାରତୀୟ ସେନାବାହିନୀ, ଜମ୍ମୁ ଓ କଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗରେ ଏସବୁ ୟୁଟ୍ୟୁବ ଚ୍ୟାନେଲରେ ମିଛ ଖବର ପ୍ରସାରିତ ହେଉଥିଲା । ପାକିସ୍ତାନରୁ ସଂଯୋଜିତ ଢଙ୍ଗରେ ପରିଚାଳିତ ହେଉଥିବା ଏକାଧିକ ସୋସିଆଲ ମିଡିଆଗୁଡ଼ିକରୁଭାରତ ବିରୋଧୀ ବିଷୟବସ୍ତୁ ପୋଷ୍ଟ କରାଯାଉଥିଲା ଯାହାକିଏସବୁ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରସାରିତ ହେଉଥିଲା । ଏହି କାରଣରୁ ଏସବୁ ଚ୍ୟାନେଲକୁ ବ୍ଲକ୍ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ୟୁକ୍ରେନ ପ୍ରସଙ୍ଗ ଏବଂ ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଭାରତର ବୈଦେଶିକ ସମ୍ପର୍କକୁକ୍ଷତିପହଞ୍ଚାଇବାର ଉଦ୍ଦେଶ୍ୟ ନେଇ ଭାରତରେ ପରିଚାଳିତ ୟୁଟ୍ୟୁବ୍ ଚ୍ୟାନେଲ ଗୁଡ଼ିକରେ ଅନେକ ମିଛ ବିଷୟବସ୍ତୁ ପ୍ରସାରଣ କରାଯାଉଥିବା ବିଶ୍ଳେଷଣରୁ ଜଣାପଡ଼ିଛି ।
ବ୍ଲକ ହୋଇଥିବା ଭାରତୀୟ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକ କେତେକ ଟିଭି ନ୍ୟୁଜ୍ ଚ୍ୟାନେଲର ନକଲି ଟେମ୍ପଲେଟ୍ ଏବଂ ଲୋଗୋ ବ୍ୟବହାର କରୁଥିଲେ । ଏପରିକି ମିଛ ଖବରକୁ ସତ ବୋଲି ପ୍ରମାଣିତ କରିବା ଲାଗି ନ୍ୟୁଜ୍ ଉପସ୍ଥାପକ ମାନଙ୍କର ଫଟୋ ମଧ୍ୟ ବ୍ୟବହାର କରୁଥିଲେ । ନକଲି ଥମ୍ବନେଲ ବ୍ୟବହାର କରିବା ସହିତ ଥମ୍ବନେଲଓ ଟାଇଟଲକୁ ବାରମ୍ବାର ପରିବର୍ତନ କରାଯାଇ ଏସବୁ ମିଛ ଖବରକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିବାପାଇଁ ଉଦ୍ୟମ କରାଯାଉଥିଲା ।କେତେକ କ୍ଷେତ୍ରରେ, ଭାରତ-ବିରୋଧୀ ମିଛ ଖବରର ଉତ୍ସ ପାକିସ୍ତାନରୁ ହିଁ ସୃଷ୍ଟି ହେଉଥିବା ତଦନ୍ତରୁ ଜଣାପଡ଼ିଛି ।
ଡିସେମ୍ବର ୨୦୨୧ ଠାରୁ ବର୍ତମାନ ସୁଦ୍ଧା୭୮ଟି ୟୁଟ୍ୟୁବ ନ୍ୟୁଜ୍ ଚ୍ୟାନେଲ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମ ଆକାଉଂଟକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ଲକ୍ କରାଯାଇଛି ।