ନୂଆଦିଲ୍ଲୀ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାର ଷଷ୍ଠ ବର୍ଷ ପୂର୍ତି ପାଳନ ପରିପ୍ରେକ୍ଷୀରେ ଏହି ଯୋଜନା ଉଦ୍ୟୋଗୀ, ବିଶେଷ କରି ମହିଳା ଏବଂ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ସମ୍ପ୍ରଦାୟ ସହ ଜଡ଼ିତ ଲୋକମାନଙ୍କର ଆକାଂକ୍ଷାକୁ କିଭଳି ପୂରଣ କରିପାରିଛି ତାହା ଆକଳନ କରିବା ପ୍ରାସଙ୍ଗିକ ହୋଇପଡ଼ିଛି । ଏହି ଯୋଜନାର ଉପଲବ୍ଧି, ବିଶେଷତ୍ୱ ଏବଂ ଏହାର ବିସ୍ତାର ଉପରେ ମଧ୍ୟ ଆଲୋକପାତ କରିବାର ଆବଶ୍ୟକତା ରହିଛି ।
ଏହି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆମେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାର ଷଷ୍ଠ ବର୍ଷ ପୂର୍ତି ପାଳନ କରୁଛୁ । ବର୍ତମାନ ସୁଦ୍ଧା ୧.୩୩ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିବା ଉଦ୍ୟୋଗୀମାନଙ୍କୁ ଏହି ଯୋଜନା ପ୍ରୋତ୍ସାହନ ଦେଇପାରିଛି । ଏହି ଯୋଜନା ଛଅ ବର୍ଷ ମଧ୍ୟରେ ୧ ଲକ୍ଷରୁ ଅଧିକ ମହିଳା ସଂରକ୍ଷକ (ପ୍ରମୋଟର)ମାନଙ୍କୁ ଲାଭାନ୍ୱିତ କରିଛି । ଆର୍ôଥକ ବିକାଶକୁ ଗତିଶୀଳ କରିବା ଲାଗି ପ୍ରଗତିଶୀଳ ଉଦ୍ୟୋଗୀମାନଙ୍କର ସାମର୍ଥ୍ୟକୁ ସରକାର ବୁଝିଛନ୍ତି । ଏହି ଉଦ୍ୟୋଗୀମାନେ ନିଜର ଭୂମିକା ବଳରେ କେବଳ ସମ୍ପତି ସୃଷ୍ଟିକାରୀ ହୋଇପାରି ନାହାନ୍ତି, ବରଂ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିଛନ୍ତି । ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାର ଲକ୍ଷ୍ୟ ଅଧୀନରେ ବିଭିନ୍ନ ପ୍ରକାର ସୁବିଧାରୁ ବଞ୍ଚିତ ଉଦ୍ୟୋଗୀ ବର୍ଗର ଅଧିକରୁ ଅଧିକ ହିତାଧିକାରୀମାନଙ୍କୁ ସାମିଲ କରାଯାଉଛି । ଫଳରେ ଆମେ ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛୁ ।
ଷ୍ଟାଣ୍ଡଅପ୍ ଇଣ୍ଡିଆର ଉଦ୍ଦେଶ୍ୟ ହେଉଛି ମହିଳା ଏବଂ ଏସସି ଓ ଏସଟି ସମୁଦାୟରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା , ଉତ୍ପାଦନ, ସେବା ଓ ବ୍ୟବସାୟ କ୍ଷେତ୍ର ଏବଂ କୃଷି ଆନୁସଙ୍ଗିକ ଗତିବିଧି କ୍ଷେତ୍ରରେ ଗ୍ରୀନଫିଲ୍ଡ ଉଦ୍ୟୋଗରେ ଋଣ ପ୍ରଦାନ କରିବା , ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ପ୍ରତ୍ୟେକ ବ୍ୟାଙ୍କ ଶାଖାରେ ଅତିକମରେ ଜଣେ ଏସସି/ଏସଟି ଏବଂ ଜଣେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ମଧ୍ୟରେ ବ୍ୟାଙ୍କ ଋଣ ଉପଲବ୍ଧ କରାଇବାର ବ୍ୟବସ୍ଥା ରହିଛି
କେଉଁମାନେ ଋଣ ପାଇବା ଲାଗି ଯୋଗ୍ୟ
ଅନୁସୂଚିତ ଜାତି/ଜନଜାତି ଏବଂ/କିମ୍ବା ମହିଳା ଉଦ୍ୟୋଗ, ଯେଉଁମାନଙ୍କର ବୟସ ୧୮ ବର୍ଷରୁ ଅଧିକ;ଯୋଜନା ଅଧୀନରେ ଋଣ କେବଳ ପ୍ରକଳ୍ପ ପାଇଁ ଉପଲବ୍ଧ । ଏ ସନ୍ଦର୍ଭରେ ଗ୍ରୀନଫିଲ୍ଡର ଅର୍ଥ ହେଉଛି : ଉତ୍ପାଦନ, ସେବା କିମ୍ବା ବ୍ୟବସାୟ କ୍ଷେତ୍ର ଏବଂ କୃଷି ସହ ଜଡ଼ିତ ଗତିବିଧରେ ହିତାଧିକାରୀଙ୍କର ପ୍ରଥମ ଉଦ୍ୟୋଗ;ଅଣ ବ୍ୟକ୍ତିଗତ ଉଦ୍ୟୋଗ କ୍ଷେତ୍ରରେ, ୫୧ ପ୍ରତିଶତ ଅଂଶଧନ ଏବଂ ନିୟନ୍ତ୍ରଣ ଭାଗିଦାରୀ ଏସସି/ଏସଟି ବ୍ୟକ୍ତି ଏବଂ/କିମ୍ବା ମହିଳା ଉଦ୍ୟୋଗୀଙ୍କ ପାଖରେ ରହିବା ଉଚିତ୍ । ଋଣ ନେଉଥିବା ବ୍ୟକ୍ତି ଋଣ ପରିଶୋଧ ନକରିବା ପାଇଁ କୌଣସି ବ୍ୟାଙ୍କ/ଆର୍ôଥକ ସଂସ୍ଥାନରେ ଦୋଷୀ ହେବା ଉଚିତ୍ ନୁହେଁ ।
ଏହି ଯୋଜନାରେ କେନ୍ଦ୍ର/ରାଜ୍ୟ ଯୋଜନାର ବ୍ୟବସ୍ଥା ଅନୁରୂପ ପ୍ରକଳ୍ପ ବ୍ୟୟର ୧୫ ପ୍ରତିଶତ ପର୍ଯ୍ୟନ୍ତ ମାର୍ଜିନ ମନି (ଅଗ୍ରୀମ ଜମା ଅର୍ଥରାଶି) ଜମା କରିବା ଲାଗି ପରିକଳ୍ପନା କରାଯାଇଛି । ଏପରି ଯୋଜନାର ଲାଭ ମଞ୍ଜୁରିପ୍ରାପ୍ତ ସବସିଡି ଲାଭ କରିବା କିମ୍ବା ଅଗ୍ରମୀ ଜମ ଅର୍ଥରାଶି ଆବଶ୍ୟକତାକୁ ପୂରଣ କରିବା ଲାଗି କରାଯାଇପାରିବ । କିନ୍ତୁ ସବୁ ଯୋଜନାର ଋଣ ନେଉଥିବା ବ୍ୟକ୍ତିଙ୍କୁ ନିଜ ଆଡ଼ୁ ପ୍ରକଳ୍ପ ବ୍ୟୟର ସର୍ବନିମ୍ନ ୧୦ ପ୍ରତିଶତ ବିନିଯୋଗ କରିବାକୁ ପଡ଼ିବ ।
ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନା ପାଇଁ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ (ସିଡବୀ) ଦ୍ୱାରା ଅନଲାଇନ୍ ପୋର୍ଟାଲ ବିକଶିତ କରାଯାଇଛି, ଯାହାକି ଋଣ ପାଇଁ ଇଚ୍ଛକୁ ବ୍ୟକ୍ତିମାନଙ୍କୁ ବ୍ୟାଙ୍କ ସହ ଯୋଡ଼ିବା ବ୍ୟତୀତ, ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କୁ ବ୍ୟବସାୟିକ ଉଦ୍ୟୋଗ ପ୍ରତିଷ୍ଠା କରିବା ଏବଂ ଏହାର ପ୍ରୟାସରେ ମାର୍ଗଦର୍ଶନ ପ୍ରଦାନ କରିତାଏ । ଏଥିରେ ପ୍ରଶିକ୍ଷଣ ସୁବିଧା ଠାରୁ ଆରମ୍ଭ କରି ବ୍ୟାଙ୍କର ଆବଶ୍ୟକତା ଅନୁଯାୟୀ ଋଣ ଆବେଦନ ପୂରଣ କରିବା ପର୍ଯ୍ୟନ୍ତ କାର୍ଯ୍ୟ ସାମିଲ ରହିଛି । ୮,୦୦୦ ଅଧିକ ସମର୍ଥନ ତଥା ମାର୍ଗଦର୍ଶନ (ହ୍ୟାଣ୍ଡହୋଲ୍ଡିଂ) ଏଜେନ୍ସିର ନେଟୱର୍କ ମାଧ୍ୟମରେ, ଏହି ପୋର୍ଟାଲ ଋଣ ନେବାକୁ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ବିଶେଷଜ୍ଞ ଏଜେନ୍ସିମାନଙ୍କ ସହିତ ଯୋଡ଼ିବା ଲାଗି ପର୍ଯ୍ୟାୟ ଆଧାରିତ ମାର୍ଗଦର୍ଶନ ସୁବିଧା ପ୍ରଦାନ କରିଥାଏ । ଏଥିରେ କୌଶଳ ବିକାଶ କେନ୍ଦ୍ର, ସମର୍ଥନ ଏବଂ ମାର୍ଗଦର୍ଶନ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ କେନ୍ଦ୍ର, ଜିଲ୍ଲା ଉଦ୍ୟୋଗ କେନ୍ଦ୍ର ଆଦିର ଠିକଣା ଓ ଫୋନନମ୍ବର ପ୍ରଦାନ କରିବା ଆଦି କାର୍ଯ୍ୟ ସାମିଲ ରହିଛି ।
ବିନା କୌଣସି ବନ୍ଧକରେ ଋଣ ହାସଲ କରିବାର ସୁବିଧାକୁ ସମ୍ପ୍ରସାରଣ କରିବା କ୍ରମରେ, ଭାରତ ସରକାରଙ୍କ ପକ୍ଷରୁ ଷ୍ଟାଣ୍ଡ ଅପ୍ ଇଣ୍ଡିଆ (ସିଜିଏଫଏସଆଇ) ପାଇଁ ଋଣ ଗ୍ୟାରେଣ୍ଟୀ ପାଣ୍ଠି ପ୍ରତିଷ୍ଠା କରାଯାଇଛି । ଋଣ ସୁବିଧା ପ୍ରଦାନ କରିବା ବ୍ୟତୀତ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାରେ ସମ୍ଭାବ୍ୟ ଋଣ ନେଉଥିବା ଲୋକମାନଙ୍କୁ ସମର୍ଥନ ଏବଂ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ପରିକଳ୍ପନା କରାଯାଇଛି । ଏଥିରେ କେନ୍ଦ୍ର/ରାଜ୍ୟ ସରକାରଙ୍କ ଯୋଜନା ସହ ତାଳମେଳ ପ୍ରତିଷ୍ଠା କରିବାର ବ୍ୟବସ୍ଥା ରହିଛି । ଏହି ଯୋଜନା ଅଧୀନରେ ଆବେଦନ ଅନଲାଇନ ପୋର୍ଟାଲରେ ମଧ୍ୟ ଜମା କରାଯାଇପାରିବ ।
ଯୋଜନା ଆରମ୍ଭ ହେବା ପର ଠାରୁ ୨୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନା ଅଧୀନରେ ୧,୩୩,୯୯୫ଟି ବ୍ୟାଙ୍କ ଆକାଉଣ୍ଟରେ ୩୦,୧୬୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।