ଭୁବନେଶ୍ୱର, ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ସରକାରୀ ପ୍ରୟୋଜିତ ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ । କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ପରିକ୍ରମା ପ୍ରକଳ୍ପ ବିବାଦରୁ ନଜର ହଟାଇବାକୁ ଚୁଲି ଭଙ୍ଗାଯାଇଛି । ଖନନ ନେଇ ଶାସକ ଦଳ ଲୋଭସଭାରୁ ବିଧାନସଭା ଯାଏ ଅଡ଼ୁଆରେ ପଡ଼ିଛି । ପୋଲିସ ଡିଜି ଓ ମୁଖ୍ୟ ପ୍ରଶାସକ, ଯେଉଁଭଳି ଭାବେ ଶ୍ରୀମନ୍ଦିର ଗସ୍ତ କରିଥିଲେ ସେହି ତତ୍ପରତା ଦେଖାଇ ରୋଷଘରର ରକ୍ଷଣାବେକ୍ଷଣ ଦାୟୀତ୍ୱ ନେଇଥାନ୍ତେ ଏଭଳି ଘଟଣା ଘଟିନଥାନ୍ତା ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ପୋଲିସ ଡିଜିଙ୍କ ଗସ୍ତ କେବଳ ଲୋକଦେଖାଣିଆ । ସରକାର ଏଥିପ୍ରତି ଉଦାସୀନ । ଏହି ପ୍ରସଙ୍ଗକୁ ଯେଉଁ ଭଳି ଭାବେ ଗମ୍ଭୀରତାର ସହ ନେବା କଥା, ତାକୁ ନେଇ ନାହାନ୍ତି । ଜଗନ୍ନାଥ ହେରିଟେଜ୍ କରିଡ଼ର ଖନନ ବାବଦରେ ରାଜ୍ୟ ସରକାର ନିନ୍ଦିତ ହୋଇଛନ୍ତି । ବିଧାନସଭାଠୁ ସଂସଦ ଯାଏ ଅପଦସ୍ତ ହୋଇଛନ୍ତି । ବିଧାନସଭାରେ ଭୁଲ ଉତର ରଖିଛନ୍ତି ରାଜ୍ୟ ସରକାର । ତାଙ୍କର ସାଂସଦ ମଧ୍ୟ ଲୋକସଭାରେ ଭୁଲ ଉତର ରଖିଛନ୍ତି । ସାରା ରାଜ୍ୟରେ ସରକାରୀ ବାବୁ, ସରକାରୀ ସାଂସଦ, ବିଧାୟକ ଓ ସରକାର ଜନମାନସରେ ନିନ୍ଦିତ ହେଲେ । ଏପରିକି ଜଣେ ସରକାରୀ ଦଳର ସାଂସଦ ଲୋକସଭାରେ ବିବୃତି ଦେବାପରେ ବାହାରେ ଗଣମାଧ୍ୟମରେ ନିଜର ସଫେଇ ରଖିଲେ ।