ଭୁବନେଶ୍ୱର, ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି ରାଜ୍ୟ ବିଜେପି । ଏହାର ପ୍ରତିବାଦରେ ରାଜ୍ୟ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଓ ଅମିୟ ପାଣ୍ଡବ କହିଛନ୍ତି ଦରବୃଦ୍ଧିରୁ ଦେଶବାସୀଙ୍କୁ ମୁକ୍ତି ଦେବାପାଇଁ କଂଗ୍ରେସ ଦେଶତମାମ “ମହଙ୍ଗାଇ ମୁକ୍ତ ଭାରତ” ଅଭିଯାନର ଡାକରା ଦେଇଛି । ଗତ ମାର୍ଚ୍ଚ ୩୧ ତାରିଖରୁ ଦେଶତମାମ ଏହି ଅଭିଯାନ ଆରମ୍ଭ ହୋଇଛି । ଆସନ୍ତା ୭ ତାରିଖ ରାଜଧାନୀ ଭୁବନେଶ୍ୱରରେ ଶୋଭାଯାତ୍ରା ଓ ବିକ୍ଷୋଭ ମାଧ୍ୟମରେ ଏ ଅଭିଯାନକୁ କାର୍ଯ୍ୟକାରୀ କରାଯିବ ।
ସୁଦର୍ଶନ ଦାସ କହିଛନ୍ତି କେନ୍ଦ୍ରର ବିଜେପି ସରକାର ଦେଶବାସୀଙ୍କୁ ଏକ ଭୟଙ୍କର ପରିସ୍ଥିତିକୁ ଠେଲି ଦେଇଛି । ଦରଦଦାମ ବୃଦ୍ଧି ସାଧାରଣ ଜନତାଙ୍କୁ ନୟାନ୍ତ ଏବଂ ତଳି ତଳାନ୍ତ କରିଦେଇଛି । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦାମ ଉଦ୍ବେଗ ଜନକ ଭାବରେ ବଢ଼ି ଚାଲିଛି । ଏହାର ପ୍ରଭାବରେ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଦର ପ୍ରବଳ ମାତ୍ରାରେ ବଢ଼ିଛି ।
କେନ୍ଦ୍ରର ୟୁପିଏ ସରକାର ସମୟରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦରରେ ସାମାନ୍ୟ ବୃଦ୍ଧି ବେଳେ ସ୍ମୃତି ଇରାନୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂକୁ ଚୁଡ଼ି ପିନ୍ଧାଇବା ପାଇଁ ନାରା ଦେଇଥିଲେ । ଏବେ କୁଆଡ଼େ ଗଲେ ସ୍ମୃତି ଇରାନୀ ଏବଂ ବିଜେପିର ଅନ୍ୟ ନେତାମାନେ ? ବାବା ରାମଦେବ ସେତେବେଳେ ମୋଦି ସରକାର ଆସିଲେ ୪୦ ଟଙ୍କାର ପେଟ୍ରୋଲ ମିଳିବ ବୋଲି କହିଥିଲେ । ଏବେ କୁଆଡ଼େ ଗଲେ ସେହି ରାମଦେବ ବୋଲି ସେ ପ୍ରଶ୍ନ କରିଛନ୍ତି ।
କଂଗ୍ରେସ ସରକାର ସମୟରେ ୨୦୧୨-୨୦୧୪ ସମୟ କାଳ ଭିତରେ ଅଶୌଧିତ ତୈଳ ଦର ଥିଲା ବ୍ୟାରେଲ ପିଛା ୧୦୮ ରୁ ୧୪୦ ଡଲାର । ସେତେବେଳେ ପେଟ୍ରୋଲ ଦାମ ଥିଲା ୭୧ ଟଙ୍କା ୪୧ ପଇସା ଓ ଡିଜେଲର ଦାମଥିଲା ୫୫ ଟଙ୍କା ୪୯ ପଇସା । ମାତ୍ର ଏବେ ୨୦୨୨ର ବିଜେପି ସରକାର ସମୟରେ ଅଶୌଧିତ ତୈଳର ଦାମ ହେଉଛି ୧୦୮ ଡଲାର । ୨୦୧୪ରେ କଂଗ୍ରେସ ସରକାର ସମୟରେ ପେଟ୍ରୋଲ ଓ ଡିଜେଲ ଉପରେ ଟ୍ୟାକ୍ସ ପରିମାଣ ଲିଟର ପିଛା ଯଥାକ୍ରମେ ଟ. ୯.୨୦ ଓ ଟ. ୩.୪୬ ଥିଲା । ମାତ୍ର ବର୍ତମାନ ତାହା ଯଥାକ୍ରମେ ୨୦୩ ଓ ୫୩୧ ଶତାଂଶ ବୃଦ୍ଧି ପାଇଛି । ୨୦୧୪ ରୁ ୨୦୨୨ ଭିତରେ ବିଜେପି ସରକାର ଦେଶବାସୀଙ୍କ ପକେଟ କାଟି ଓ ସେମାନଙ୍କୁ ଲୁଟ କରି ରାଜକୋଷକୁ ଭର୍ତି କରିବାରେ ଲାଗିଛନ୍ତି । ଏହି ସମୟ ଭିତରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଦରବୃଦ୍ଧି କରି ଲୋକଙ୍କ ଠାରୁ ୨୬ ଲକ୍ଷ କୋଟି ଟଙ୍କା ଲୁଟ କରିଛନ୍ତି । ଏହା ପ୍ରଧାନମନ୍ତ୍ରୀ ଜନଧନ ଲୁଟ ଯୋଜନା ବୋଲି ଆଜି କଂଗ୍ରେସ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ରନ୍ଧନ ଗ୍ୟାସର ମୂଲ୍ୟ ୨୦୧୪ ରେ କଂଗ୍ରେସ ସରକାର ସମୟରେ ୪୧୦ ଟଙ୍କା ଥିଲା । ଏବେ ୯୭୬ ଟଙ୍କା ବା ୧୦୦୦ ଟଙ୍କାରେ ପଂହଚିଲାଣି । ୨୦୧୪ ତୁଳନାରେ ଏହା ୫୩୯.୫୦ ଟଙ୍କା ବୃଦ୍ଧି ପାଇଛି । ୨୦୧୨-୧୩ ରେ ଅଶୌଧିତ ଗ୍ୟାସର ଦାମ ପ୍ରତି ମେଟ୍ରିକ୍ ଟନ ପିଛା ଥିଲା ୮୮୫ ଡଲାର । ୨୦୧୪ ଏହା ଥିଲା ୮୮୦ ଡଲାର । ମାତ୍ର ୨୦୨୨ ରେ ଏହାର ଦାମ କମି ପ୍ରତି ମେଟ୍ରିକ୍ଟନ ପିଛା ୭୬୯ ଡଲାରରେ ପଂହଚିଛି । ମାତ୍ର ଯେତେେବେଳ ୪୧୦ ଟଙ୍କାରେ ମିଳୁଥିବା ସିଲିଣ୍ଡର ଗ୍ୟାସ ଏବେ ୧୦୦୦ ଟଙ୍କା ରେ ପହଂଚିଛି । କେନ୍ଦ୍ର ବିଜେପି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ସବସିଡି ବଢ଼ାଇବା ସହିତ ଟ୍ୟାକ୍ସ କମାଇବା ପାଇଁ କଂଗ୍ରେସ ଦୃଢ଼ ଦାବୀ କରିଛି ।