ଭୁବନେଶ୍ୱର, ରାଜ୍ୟରେ ଦେଖାଦେଇଥିବା ଚରମ ବିଜୁଳି ବିଭ୍ରାଟ ଓ ଅରାଜକତାର ପ୍ରତିକାର ଏବଂ ସବୁ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଣ ଦାବିରେ ସିପିଆଇ ଆସନ୍ତା ଏପ୍ରିଲ ୨୨ ତାରିଖରେ ରାଜ୍ୟର ସମସ୍ତ ବିଦ୍ୟୁତ୍ ଅଫିସ ଘେରାଉ କରିବ । ଭଗବତୀ ଭବନଠାରେ ରମଣୀରଞ୍ଜନ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟ ପରିଷଦ ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ରାଜ୍ୟର ବିଦ୍ୟୁତ୍ ଗ୍ରାହକମାନଙ୍କ ପାଖକୁ ମନଇଚ୍ଛା ବିଲ୍ ଏପରିକି ୫ଗୁଣ ୧୦ଗୁଣ ଅଧିକ ବିଲ୍ ଆସୁଛି । ଅଭିଯୋଗ କଲେ ଶୁଣିବାକୁ କେହି ନାହିଁ । ଗୋଟିଏ ଗୋଟିଏ ଗାଁକୁ ସପ୍ତାହ ସପ୍ତାହ ଧରି ଲାଇନ କାଟିଦିଆଯାଉଛି । ଅଘୋଷିତ ବିଦ୍ୟୁତ୍ କାଟ ସାଙ୍ଗକୁ ଲୋ ଭୋଲ୍ଟେଜ ବିଷମ ପରିସ୍ଥିତି ସୃଷ୍ଟି କରିଛି । ଏସବୁର ପ୍ରତିକାର ସହିତ ବିଦ୍ୟୁତ୍ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ରାଜ୍ୟ ସରକାର ବିଦ୍ୟୁତ୍ ଆବଂଟନର ଦାୟିତ୍ୱ ନିଜ ହାତକୁ ନେଇ ପ୍ରତି ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇବା ପାଇଁ ସିପିଆଇ ଦାବି କରିଛି ।
ଅନ୍ୟପକ୍ଷରେ ଏହା ପୂର୍ବରୁ କେନ୍ଦ୍ର ସିପିଆଇ ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକ ଜିନିଷପତ୍ରର ଆକାଶଛୁଆଁ ଦରବୃଦ୍ଧି ବିରୋଧରେ ଏପ୍ରିଲ ୪ରୁ ୧୦ ପର୍ଯ୍ୟନ୍ତ ଦେଶ ବ୍ୟାପୀ ପ୍ରତିବାଦର ଡାକରା ଦେଇଥିବାରୁ ଓଡ଼ିଶାରେ ମଧ୍ୟ ପେଟ୍ରୋଲ ପମ୍ପ ଓ କେନ୍ଦ୍ର ସରକାରୀ ଅଫିସ୍ ସମ୍ମୁଖରେ ବିକ୍ଷୋଭମାନ ଅନୁଷ୍ଠିତ ହେବ ।
ପରିଷଦରେ ଗୃହୀତ ପଞ୍ଚାୟତ ଓ ପୌର ନିର୍ବାଚନ ସମୀକ୍ଷା ରିପୋର୍ଟରେ କୁହାଯାଇଛି– ବିଜେଡିର ବିପୁଳ ବିଜୟ ତା’ର ଅତ୍ୟଧିକ ଲୋକପ୍ରିୟତାର ପ୍ରମାଣ ନୁହେଁ । ପ୍ରଚୁର ପରିମାଣର ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରିବା ଏବଂ ଶାସନ କଳର ନଗ୍ନ ବ୍ୟବହାର ଏହି ବିଜୟର ଅନ୍ୟତମ ପ୍ରମୁଖ କାରଣ । ବିଜେଡିର ବିଜୟ ପରେ ପୋଲିସ ଓ ପ୍ରଶାସନିକ ଅଫିସରମାନେ ସଂଗଠିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା, ଓଡ଼ିଶା ଇତିହାସରେ ଏକ ନିନ୍ଦନୀୟ ଘଟଣା । ଏହା ପ୍ରଶାସନର ରାଜନୀତିକରଣ ଦିଗରେ ଦୁର୍ଭାଗ୍ୟଜନକ ପଦକ୍ଷେପ ।
ଜୟପୁରର ସେବା ପେପର ମିଲ୍ ଦୀର୍ଘଦିନ ଧରି ବନ୍ଦ ହୋଇଥିବାବେଳେ ଏହାକୁ ତୁରନ୍ତ ଚାଲୁ କରି ଛଟେଇ ଶ୍ରମିକମାନଙ୍କୁ ନିଯୁକ୍ତି ଦେବା, ସମ୍ବଲପୁର, କଟକ ଜାତୀୟ ରାଜପଥର ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା ।
ରାଜ୍ୟ ପରିଷଦର ଏହି ବୈଠକରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନର ସମୀକ୍ଷା ରିପୋର୍ଟ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରାମକୃଷ୍ଣ ପଣ୍ଡା ଜାତୀୟ ପରିଷଦ ରିପୋର୍ଟ, ଅଭୟ ସାହୁ ଆନ୍ଦୋଳନ କାର୍ଯ୍ୟକ୍ରମ ଉପସ୍ଥାପିତ କରିଥିବାବେଳେ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ, ରାଜ୍ୟ ସହସମ୍ପାଦକ କ୍ଷୀରୋଦ ସିଂହଦେଓ, ସମ୍ପାଦକମଣ୍ଡଳୀ ସଭ୍ୟ ପ୍ରଶାନ୍ତ ପାଟ୍ଟଯୋଷୀ ଓ ନୂଆଦୁନିଆର ସମ୍ପାଦକ ରମେଶ ପାଢ଼ୀ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।