-
୪ ଜେଟିପି ଓ ଉପସ୍ଥିତ ସେବାୟତଙ୍କୁ ପଚରା ଉଚୁରା ଜାରୀ
ପୁରୀ,ଶ୍ରୀମନ୍ଦିର ରୋଷଘର ଚୁଲା ଭଙ୍ଗାଯିବା ଘଟଣାରେ ସିସିଟିଭିରୁ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଚିହ୍ନଟ କରାଯାଇଛି । ଏପିରିକି ୪ ଜଣ ଜେଟିପି ସମ୍ପୃକ୍ତ ଯୁବକଙ୍କୁ ଶ୍ରୀମନ୍ଦିର ବାହାରକୁ ଆଣି ଛାଡିଥିବାର ଦୃଶ୍ୟ ସିସିଟିଭିରେ କଏଦ୍ ରହିଛି । ସମ୍ପୃକ୍ତ ଜେଟିପି ଓ ଉପସ୍ଥିତ ସେବାୟତଙ୍କୁ ପଚରା ଉଚୁରା ଜାରୀ ରହିଛି । ତେବେ ସମ୍ପୃକ୍ତ ଯୁବକ ଜଣକ ସେବାୟତ କି ଅଣସେବାୟତ ତାହା ସ୍ପଷ୍ଟ ହୋଇନଥିବା ପୁରୀ ଏସପି କେ. ବିଶାଲ ସିଂହ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଘଟଣାରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି ପୋଲିସ ପକ୍ଷରୁ ସେନେଇ ଅଧିକ ତଦନ୍ତ ଜାରୀ ରହିଛି । ଖୁବଶୀଘ୍ର ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି ।
ଶ୍ରୀମନ୍ଦିର ରୋଷଘରେ ଚୁଲା ଭଙ୍ଗା ଘଟଣାର ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନିଲ କୁମାର ବଂଶଲ ଗତକାଲି ସଂନ୍ଧ୍ୟାରେ ଅନୁଧ୍ୟାନ କରି ଫେରିଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ, ଘଟଣାକୁ ଗୁରୁତ୍ୱର ସହ ବିଚାର କରାଯାଉଛି । ସୁଆର ମହାସୁଆର ନିଯୋଗ ଜଗନ୍ନାଥ ଟେମ୍ପୁଲ ପୋଲିସ (ଜେଟିପି)ଙ୍କ ସହ ଆଲୋଚନା କରାଯାଇଛି । ରୋଷ ଦ୍ୱାର ପ୍ରବେଶ ପଥରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଂଚ୍ କରାଯାଉଛି । ଖୁବ୍ ଶୀଘ୍ର ଦୋଷୀକୁ ଧରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ପ୍ରକାଶ ଥାଉକି, ଶନିବାର ଦିନ ପହୁଡ଼ ପୂର୍ବରୁ କେତେକ ଦୁର୍ବୃତ ରୋଷଘରେ ପଶି ଶାବଳ ସାହାଯ୍ୟରେ ୪୦ଟି ଚୁଲା ଭାଙ୍ଗିଥିଲେ । ଶ୍ରୀମନ୍ଦିର ସତ୍ୱଲିପିରେ ରୋଷ ଘରେ ମୋଟ୍ ୨୪୦ଟି ଚୁଲା ରହିଥିବା ଉଲ୍ଲେଖ ରହିଛି ।