ବୌଦ୍ଧ, ବୌଦ୍ଧ ସହରର ସୌନ୍ଦର୍ଯ୍ୟକରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସହରର ମହାନଦୀ ବ୍ରିଜ ଛକ ହେଉ ଅବା ମହାନଦୀରେ ସେତୁରେ ଆଲୋକିକରଣ, ହନୁମାନ ମନ୍ଦିର ଠାରେ ମିନି ପାର୍କ ନିର୍ମାଣ ଏବଂ ସହରର ରାସ୍ତା ଘାଟ ଆଦି ନିର୍ମାଣ ନେଇ ପ୍ରଶାସନ ପକ୍ଷରୁ ଅନେକ ଭଲ କାମ କରାଯାଇଛି । ଯାହାକୁ ନେଇ ଲୋକମାନେ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି । ହେଲେ ସହରରେ ଆହୁରି ଅନେକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଯୋଜନା ଚାଲୁ ରହିଛି । ଏପରିକି ଅନେକ କାର୍ଯ୍ୟ ବାରମ୍ବାର ଭଙ୍ଗା ଗଢାରେ ଚାଲୁ ରହିଛି । ଯାହାଫଳରେ ସରକାରୀ ଅର୍ଥ ଅଯଥାରେ ଖର୍ଚ୍ଚ ହେବାରେ ଲାଗିଛି । ଆଉ କିଛି କାର୍ଯ୍ୟ ଦୀର୍ଘ ଦିନ ହେବ ପଡି ରହିଛି । ସେଥିମଧ୍ୟରୁ ସହରର ନୂଆଁସାହି ଛକଠାରେ ହେବାକୁ ଥିବା ଗୋଲେଇ ଛକ କାର୍ଯ୍ୟ । ଏହି ଗୋଲେଇ କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ଦିନ ହେବ ପଡିରହିଛି । ଯାହାଫଳରେ ଜନସାଧାରଣ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ୱାରଲେସ ଛକ ଠାରୁ ନୂଆସାହି ଛକ ଦେଇ ଗୋଟିଏ ପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଡକୁ ଯାଇଥିବା ବେଳେ ଆରପଟେ ବୁଟୁପାଲି ଆଡକୁ ଯାଇଛି । ଏହି ସ୍ଥାନଟି ପ୍ରାୟତଃ ଜନଗହଳି ସ୍ଥାନ ହୋଇଥିବା ବେଳେ ଜନଗହଳିକୁ ନିୟନ୍ତ୍ରଣ, ରାସ୍ତାର ପ୍ରଶସ୍ତିକରଣ ଓ ନୂଆସାହି ଛକର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ଏହି ଗୋଲେଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ସେଥିପାଇଁ ଏଠାରେ ଥିବା ବଡ ବଡ ଗଛକୁ କଟା ଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂର୍ବରୁ ଏନଏସି ପକ୍ଷରୁ ସ୍ଥାପିତ ଏକ ପାନୀୟଜଳ ପ୍ରକଳ୍ପ ଓ ମଧୁବାବୁଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ସେଠାରୁ ହଟାଯାଇଥିଲା । ହେଲେ ବର୍ତ୍ତମାନ ଏହି କାର୍ଯ୍ୟ ଅଧାରେ ପଡିରହିଛି । ଏହି ବାଟ ଦେଇ ଯାଉଥିବା ଯାତ୍ରୀମାନେ ଯିବା ଆସିବା କରିବାରେ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ କରୁଛନ୍ତି । ପ୍ରତିଦିନ ଶହଶହ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଏହି ରାସ୍ତା ଦେଇ ସ୍କୁଲ, କଲେଜ ଯାଉଛନ୍ତି । ପାଖରେ ଜିଲା ସଂଗ୍ରହାଳୟ ମଧ୍ୟ ରହିଛି । ବିଭିନ୍ନ କାର୍ଯ୍ୟକ୍ରମମାନ ଏଠାରେ କରାଯାଉଛି । ଏହାବ୍ୟତୀତ ଏହି ରାସ୍ତା ଦେଇ ଜିଲାପାଳ, ଜିଲା କୋର୍ଟ ଓ ଏସପିଙ୍କ କାର୍ଯ୍ୟାଳୟ ସମେତ ଅନେକ ପ୍ରମୁଖ କାର୍ଯ୍ୟାଳୟକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ କର୍ମଚାରୀ ଓ ସାଧାରଣଲୋକ ଯିବା ଆସିବା କରିଥାନ୍ତି । ଯାହାଫଳରେ ଏହି ରାସ୍ତାରେ ଟ୍ରାଫିକ ବହୁପରିମାଣରେ ବୃଦ୍ଧି ପାଉଅଛି । ଏହି ରାସ୍ତାଟି ସହରର ଏକ ପ୍ରମୁଖ ରାସ୍ତା ହୋଇଥିବାବେଳେ ଅଧପନ୍ତରିଆ ହୋଇ କାର୍ଯ୍ୟ ପଡିରହିବା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେଣୁ ଏହି ଗୋଲେଇ କାର୍ଯ୍ୟକୁ ତୁରନ୍ତ ସଂପୂର୍ଣ୍ଣ କରିବାକୁ ସାଧାରଣରେ ଦାବି ହେଉଛି । ଏନେଇ ପୂର୍ତ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରଭାତ ଦାଶଙ୍କୁ ପଚାରିବାରୁ କାମରେ କିଛିଟା ପରିବର୍ତନ ହେବାର ଅଛି ଯେହେତୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଗଲା ସେଥିପାଇଁ କାର୍ଯ୍ୟ ଆଗେଇ ପାରିନଥିବା ପ୍ରକାଶ କରିଛନ୍ତି ।
Related Stories
November 24, 2024