ବୌଦ୍ଧ, ସାରା ରାଜ୍ୟରେ ଅଙ୍ଗନୱାଡି କର୍ମୀ ମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାବେଳେ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି । ଏନେଇ ଆଜି ବୌଦ୍ଧରେ ଅଙ୍ଗନୱାଡି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବୌଦ୍ଧ ଜିଲା ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ସହରର ଶ୍ରୀଜଗନ୍ନାଥ ମନ୍ଦିରଠାରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ଥିଲା। ସେଠାରେ ବିଭିନ୍ନ ଦାବୀ ନେଇ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଦାବୀ ଗୁଡିକ ମଧ୍ୟରେ ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ ମାନ୍ୟତା ସହ ଚାକିରୀ ସର୍ତ୍ତାବଳି ଲାଗୁ , ଯେ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ମିଳିନାହିଁ ସେ ପର୍ଯ୍ୟନ୍ତ ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୨୧ ହଜାର ଓ ପାଚିକା ମାନଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଉ, ଅବସରକାଳୀନ ସହାୟତା ୫ ଲକ୍ଷ ଓ ମାସିକ ୫ ହଜାର ଟଙ୍କା ପେନସନ ପ୍ରଦାନ, ମିନି ଅଙ୍ଗନୱାଡି କର୍ମୀଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା, ଆନ୍ଦୋଳନ ସମୟରେ ବହିଷ୍କୃତ ୭ ଜଣଙ୍କୁ ପୁନଃ ନିଯୁକ୍ତି ଦିଆଯାଉ, ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା, ମୃତ୍ୟୁକାଳୀନ ସହାୟତା ୫ ଲକ୍ଷ ସହ ପରିବାରର ଜଣକୁ ଚାକିରୀ ପ୍ରଦାନ କରାଯାଉ, ଅଙ୍ଗନୱାଡି କର୍ମୀ ଓ ମିନି ଅଙ୍ଗନୱାଡି କର୍ମୀଙ୍କୁ ଶତ ପ୍ରତିଶତ ସୁପରଭାଇଜର ଭାବେ ପଦୋନ୍ନତି, ଅଙ୍ଗନୱାଡି କର୍ମୀଙ୍କୁ ବରିଷ୍ଠତା ଭିତ୍ତିରେ ଦରମା ପ୍ରଦାନ, କରୋନାରେ ମୃତ୍ୟୁ ବରଣ କରିଥିବା କର୍ମୀ ଓ ସହାୟିକାଙ୍କୁ କେନ୍ଦ୍ର ସରକାରଙ୍କ ଘୋଷିତ ଅନୁସାରେ ୫୦ ଲକ୍ଷ ଟଙ୍କା ବୀମା , ଶନିବାର ଓ ଛୁଟି ଦିନ କାମ କଲେ ଦୁଇ ଗୁଣ ଦରମା ପ୍ରଦାନ, ପୋଷଣ ଓ ଅନଲାଇନରେ କାମ କରିବାକୁ ଉନ୍ନତ ମାନର ମୋବାଇଲ ପ୍ରଦାନ କରାଯାଉ, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡିକୁ ବାଦ ଦିଆଯାଉ ଓ ସୋପାନ କାର୍ଯ୍ୟକ୍ରମରେ ଉପଯୁକ୍ତ ପ୍ରାପ୍ୟ ନଦେବା ପର୍ଯ୍ୟନ୍ତ ସେଥିରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ ଦିଆଯାଉ ଆଦି ପ୍ରମୁଖ ଦାବି ରହିଛି । ଏନେଇ ସଂଘ ପକ୍ଷରୁ ଏକ ଦାବୀପତ୍ର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା ।
ଏହି ବିକ୍ଷୋଭରେ ସଂଘର ସଭାପତି ଉର୍ମିଳା ମହାପାତ୍ର ଓ ସଂପାଦକ ସତ୍ୟବତୀ ସାହୁଙ୍କ ନେତୃତ୍ଵରେ ସଂଘର ସମସ୍ତ ସଦସ୍ୟାମାନେ ସାମିଲ ହୋଇଥିଲେ ।