
ସାଲେପୁର, କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୃଷି କାର୍ଯ୍ୟାଳୟ ଗୌଡପଡା ପରିସରରେ ନିମ୍ନମାନର ଢଳେଇ କାର୍ଯ୍ୟକୁ ନେଇ ଏବେ ସାଧାରଣରେ ଅଭିଯୋଗ ଶୁଣିବାକୁ ମିଳୁଛି । ଢଳେଇ କାର୍ଯ୍ୟ ଚାଲିଥିଲା ବେଳେ ସିମେଣ୍ଟ, ବାଲି ଓ ଗୋଡିର ପରିମାଣ ଠିକ୍ ଭାବରେ ଦିଆଯାଇନଥିବା ଚର୍ଚ୍ଚା ହେଉଛି । ଯାହାଫଳରେ ଢଳେଇର ସ୍ଥାୟିତ୍ଵକୁ ନେଇ ସନ୍ଦେହ ଉପୁଜିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ମାହାଙ୍ଗା ବ୍ଲକ କୃଷି କାର୍ଯ୍ୟାଳୟ ପରିସର ଆବର୍ଜନା ପରିପୂର୍ଣ୍ଣ ହୋଇ ପଡିରହିଛି । ସେଥିପ୍ରତି ବିଭାଗର ଦୃଷ୍ଟି ପଡୁ ନାହିଁ । ବର୍ତ୍ତମାନ ଯେଉଁ ଢଳେଇ କାର୍ଯ୍ୟ ଶେଷ ହୋଇଛି ସେଥିରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ସେ ସଂପର୍କରେ କୌଣସି ସୂଚନା ହସ୍ତଗତ ହୋଇପାରି ନାହିଁ । ଏହି କାର୍ଯ୍ୟ କୃଷି ବିଭାଗର ଇଂଜିନିୟରିଙ୍ଗ୍ ସେକ୍ସନ ଅଧିନରେ ହୋଇଥିବା ଜଣାପଡିଥିଲା ବେଳେ ଅପରପକ୍ଷରେ ଏହି ନିମ୍ନମାନର କାର୍ଯ୍ୟର ନିରପେକ୍ଷ ତଦନ୍ତ ପାଇଁ ସାଧାରଣରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ହୋଇଛି ।