
ରାଉରକେଲା, ରାଉରକେଲାରେ ୨ ବର୍ଷ ତଳୁ ଏକ ଏସପି ଭିଜିଲାନ୍ସ ଅଫିସ କରାଯାଇ ଏହା ଅଧିନରେ ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ ରଖାଯାଇଥିବା ବେଳେ ରାଉରକେଲାରେ ଅନେକ ଅଫିସର ରହିଛନ୍ତି। ଅନେକ ପୁରୁଣା ଅଫିସର ରହିଛନ୍ତି, କିନ୍ତୁ ଖୋଦ ଏସପି ଓ ବଡ ବଡ ଅଫିସର ଏଠାରେ ଥିବା ସତ୍ବେ ଏଠାରେ ମାମଲା ସଂଖ୍ୟା ଶୁନ। ଏକଦା ରାଉରକେଲା ଡିଏସପି ଅଫିସ ଥିବା ବେଳେ ରାଉରକେଲାରେ ଗଣ୍ଡା ଗଣ୍ଡା ମାମଲା ହେଉଥିବା ବେଳେ ଏସପି ଭିଜିଲାନ୍ସ ଅଫିସ ହେବା ପରେ ଲାଠିକଟାରୁ ନେଇ ଖୋଦ ମହାନଗର ଅଂଚଳରେ ଟଙ୍କା ନଦେଲେ କାମ ହେଉନଥିବା ଅଭିଯୋଗ ବାରମ୍ବାର ହେବା ସତ୍ବେ ଭିଜିଲାନ୍ସ ଏଠି ନୀରବ । ଯଦି ଏହି କଥା ଭିଜିଲାନ୍ସ ପାଖରେ ଉଠା ଯାଉଛି ଉତର ମିଳୁଛି ଟିକେ ଖବର ଦିଅନ୍ତୁ, ଯଦି ସବୁ କାମ ଲୋକେ କରିବେ ତେବେ ଲକ୍ଷ ଲକ୍ଷ ଟଙ୍କା ଦରମା ନେଇ ରାଉରକେଲାରେ କାହିଁକି ଏହି ଅଫିସର ମାନେ ରହିଛନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନ ହେଉଛି । ରାଉରକେଲା ମହାନଗର ଅଫିସରେ ଶହ ଶହ କୋଟି ଟଙ୍କାର କାମ, ସ୍ମାର୍ଟ ସିଟିରେ ହଜାର ହଜାର କୋଟି ଟଙ୍କାର କାମ ଚାଲିଥିବା ବେଳେ ଅନେକ ନିମ୍ନ ମାନର କାମ ଓ ବିଭିନ୍ନ ଉପାୟରେ ଏଠି ସରକାରୀ ଅର୍ଥର ହରିଲୁଟ ହେଉଥିବାର ଖବର ବିରୋଧୀ ଦଳ ବିଭିନ୍ନ ସମୟରେ ଉଠାଇବା ସାଙ୍ଗକୁ ଖବର କାଗଜ ମାନେ ପ୍ରକାଶ କରୁଛନ୍ତି, ହେଲେ ଏ ଦିଗରେ ଭିଜିଲାନ୍ସ କଣ କରୁଛି ସେ ନେଇ ସବୁ ମହଲରେ ପ୍ରଶ୍ନ । ଏଠି ଏତେ ପଇସା ଯେ ଜଣେ ଇଂଜିନିଅର ବାବୁ ନିକଟରେ ଜଣେ ଯୁବତୀଙ୍କୁ କାମ କରାଇଦେବା ନାମରେ କିଛି ଅଡୁଆ କାମ କରିଥିବା ନେଇ ଅଭିଯୋଗ ହେବା ଓ ସେ କଥାକୁ ଚାପି ଦିଆଜିବା ଲାଗି ଲକ୍ଷ ଲକ୍ଷ ଖର୍ଚ୍ଚ ହେବା କଥା ଚର୍ଚ୍ଚାର ବିଷୟ ହୋଇଛି ।ପୁର୍ତ ବିଭାଗରେ ସେହି ଭଳି ଶହ ଶହ କୋଟି ଟଙ୍କାର କାମ ଚାଲିଥିବା ବେଳେ କମିଶନ ଅର୍ଥ ବାବୁ ମାନେ ଧରି ପ୍ରତି ଶନିବାର ସରକାରୀ ଗାଡିରେ ଘାଟି ଦେଇ କେଉଁଝର ପଳାଇଯାଉଛନ୍ତି। ବାଟରେ ୨ଟି ଗାଡି ବଦଳାଇ ମାଲ ଧରି ପାର ହେଉଥିବା କୁହାଯାଉଛି, ହେଲେ ସେମାନଙ୍କୁ ଧରିବାରେ ଭିଜିଲାନ୍ସ ବିଫଳ । ତହସିଲ ଅଫିସରେ ଲାଂଚ ନଦେଲେ କାମ ହେଉନି ,ଏଠାରେ ଥିବା କିଛି କିରାଣୀ ଓ ବେସରକାରୀ ଭାବେ ଥିବା କିଛି ନୂଆ କର୍ମଚାରୀ ଲାଂଚ କାରବାରକୁ ନିୟମ କରିସାରିଲେଣି ଏଠି ବି ଭିଜିଲାନ୍ସର ନଜର ପଡୁନି । ମାପ ଓଜନ ବିଭାଗ ଦୟାରୁ ଏଠି ପ୍ରତି ଜିନିଷ କିଣାରେ ଲୋକେ ଠକେଇର ଶୀକାର ହେଉଛନ୍ତି, ହେଲେ ଏଠିଥିବା ବାବୁ ମାନେ କଳକାରଖାନା ପେଟ୍ରୋଲ ପମ୍ପରୁ ମାଲ ନେଇ ନିଜ ରାସ୍ତାରେ ରହିଛନ୍ତି। ଦେବଗଡ ଠାରୁ ଭୁବନେଶ୍ଵର ଯାଏ ଏମାନଙ୍କର ବିଲଡିଂ, ରାଉରକେଲାର ଅତିରିକ୍ତ ଦାୟିତ୍ଵରେ ରହି ମାସକୁ ଥରେ ଆସି ପୁଳା ପୁଳା ଟଙ୍କା ନେଇ ଚାଲି ଯାଉଛନ୍ତି ବୋଲି କୁହାଯାଉଛି, ହେଲେ ସେମାନଙ୍କୁ ଧରିପାରୁନି ଭିଜିଲାନ୍ସ । ପ୍ରତି ସରକାରୀ ଅଫିସ ଏବେ ଲାଂଚ କାରବାରରେ ଉବୁଟୁବୁ, ସାଧାରଣ ଲୋକେ ଏଥିରେ ଅତିଷ୍ଠ ହେଲେ ସରକାରଙ୍କ ଭିଜିଲାନ୍ସ ବିଭାଗ ହାତ ଯୋଡି ବସିଛି ।
ନିକଟରେ ଜଣେ ଆସିଷ୍ଟାଂଟ କଲେକ୍ଟରଙ୍କୁ ଅବଶ୍ୟ ଧରାଯାଇଥିଲା, କିନ୍ତୁ ସେହି ମାମଲାରେ ସଂପୃକ୍ତ ଅଫିସରଙ୍କ ପତ୍ନୀ ସହଯୋଗ କରିବାରୁ ଭିଜିଲାନ୍ସ ସଫଳ ହୋଇଥିବା କୁହାଯାଉଛି । ତା ପର ଠାରୁ ରାଉରକେଲା ବିଶ୍ରା, ଲାଠିକଟାକୁ ନେଇ ସତେ ଯେମିତି ଭିଜିଲାନ୍ସ ପୁରା ନିରବ, ଏପରିକି ଏଠି ଯେମିତି ସବୁ ଠିକ ଚାଲିଛି । ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକରେ ଭିଜିଲାନ୍ସ ଯେଉଁ ପରିମାଣରେ ଚଳ ଚଂଚଳ ରହି ମାମଲା କରୁଛି ସେହି ତୁଳନାରେ ରାଉରକେଲା ଡିଭିଜନ ବହୁ ପଛରେ ଥିବା କୁହାଯାଉଛି । ଏଠାରେ ଜଣେ ଦକ୍ଷ ଏସପି ରହିଛନ୍ତି ହେଲେ ତାଙ୍କୁ ସହଯୋଗ କରିବା ଲାଗି ସେଭଳି ଅଫିସର ନଥିବାରୁ ଏହି ଡିଭିଜନ ଲୋକଙ୍କ କାମରେ ଆସିପାରୁନଥିବା କୁହାଯାଉଛି । ରାଜ୍ୟ ଭିଜିଲାନ୍ସ ମୁଖ୍ୟ ଏନେଇ ଦୃଷ୍ଟି ଦେବାକୁ ଦାବି ହେଉଛି ।