ଭୁବନେଶ୍ୱର, ରାଜ୍ୟରେ ଦେଖାଦେଇଥିବା ଚରମ ବିଜୁଳି ବିଭ୍ରାଟ ଓ ଅରାଜକତାର ପ୍ରତିକାର ଏବଂ ସବୁ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଣ ଦାବିରେ ସିପିଆଇ ଆସନ୍ତା ଏପ୍ରିଲ ୨୨ ତାରିଖରେ ରାଜ୍ୟର ସମସ୍ତ ବିଦ୍ୟୁତ୍ ଅଫିସ ଘେରାଉ କରିବ । ଆଜି ପାର୍ଟିର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ରମଣୀରଞ୍ଜନ ରାଉତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟ ପରିଷଦ ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ପରିଷଦରେ ଗୃହୀତ ପ୍ରସ୍ତାବରେ କୁହାଯାଇଛି– ରାଜ୍ୟର ବିଦ୍ୟୁତ୍ ବଂଟନ ଦାୟିତ୍ୱ ଟାଟା କମ୍ପାନୀକୁ ଦିଆଯିବା ପରେ ଇଷ୍ଟ ଇଣ୍ଡିଆ କମ୍ପାନୀର ମେରୀ ରାୟ ଶାସନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିଦ୍ୟୁତ୍ ଗ୍ରାହକମାନଙ୍କ ପାଖକୁ ମନଇଚ୍ଛା ବିଲ୍ ଏପରିକି ୫ଗୁଣ ୧୦ଗୁଣ ଅଧିକ ବିଲ୍ ଆସୁଛି । ଅଭିଯୋଗ କଲେ ଶୁଣିବାକୁ କେହି ନାହିଁ । ବିଲ୍ ଆଦାୟର ଜୁଲୁମ୍ ବର୍ଗୀ ଆକ୍ରମଣ ଭଳି ହେଉଛି । ଗୋଟିଏ ଗୋଟିଏ ଗାଁକୁ ସପ୍ତାହ ସପ୍ତାହ ଧରି ଲାଇନ କାଟିଦିଆଯାଉଛି । ଅଘୋଷିତ ବିଦ୍ୟୁତ୍ କାଟ ସାଙ୍ଗକୁ “ଲୋ ଭୋଲ୍ଟେଜ” ବିଷମ ପରିସ୍ଥିତି ସୃଷ୍ଟି କରିଛି । ଏସବୁର ପ୍ରତିକାର ସହିତ ବିଦ୍ୟୁତ୍ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ରାଜ୍ୟ ସରକାର ପ୍ରତି ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇବା ପାଇଁ ସିପିଆଇ ଦାବି କରିଛି ।
ଅନ୍ୟପକ୍ଷରେ ଏହା ପୂର୍ବରୁ କେନ୍ଦ୍ର ସିପିଆଇ ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକ ଜିନିଷପତ୍ରର ଆକାଶଛୁଆଁ ଦରବୃଦ୍ଧି ବିରୋଧରେ ଏପ୍ରିଲ ୪ରୁ ୧୦ ପର୍ଯ୍ୟନ୍ତ ଦେଶ ବ୍ୟାପୀ ପ୍ରତିବାଦର ଡାକରା ଦେଇଥିବାରୁ ଓଡ଼ିଶାରେ ମଧ୍ୟ ପେଟ୍ରୋଲ ପମ୍ପ ଓ କେନ୍ଦ୍ର ସରକାରୀ ଅଫିସ୍ ସମ୍ମୁଖରେ ବିକ୍ଷୋଭମାନ ଅନୁଷ୍ଠିତ ହେବ ।
ରାଜ୍ୟ ପରିଷଦର ଏହି ବୈଠକରେ ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନର ସମୀକ୍ଷା ରିପୋର୍ଟ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ରାମକୃଷ୍ଣ ପଣ୍ଡା ଜାତୀୟ ପରିଷଦ ରିପୋର୍ଟ, ଅଭୟ ସାହୁ ଆନ୍ଦୋଳନ କାର୍ଯ୍ୟକ୍ରମ ଉପସ୍ଥାପିତ କରିଥିବାବେଳେ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ, ରାଜ୍ୟ ସହସମ୍ପାଦକ କ୍ଷୀରୋଦ ସିଂହଦେଓ, ସମ୍ପାଦକମଣ୍ଡଳୀ ସଭ୍ୟ ପ୍ରଶାନ୍ତ ପାଟ୍ଟଯୋଷୀ ଓ ନୂଆଦୁନିଆର ସମ୍ପାଦକ ରମେଶ ପାଢ଼ୀ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।