-
ରଂଜନ ଓ ନିରଂଜନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯିବ
ଭଦ୍ରକ, ଭୁବନେଶ୍ୱର, ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ସଂପୂର୍ଣ୍ଣ ୱେବ୍ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାଙ୍କର ଅନ୍ୟତମ ସହଯୋଗୀ ଝୁନା ପୁଣି ଥରେ କ୍ରାଇମ ବ୍ରାଂଚ ରିମାଣ୍ଡକୁ ଯିବେ । ଚାନ୍ଦବାଲିସ୍ଥିତ ଜେଏମ୍ଏଫସି କୋର୍ଟ ଆଜି ଉଭୟଙ୍କୁ ଆଉ ତିନି ଦିନ ପାଇଁ କ୍ରାଇମ ବ୍ରାଂଚ ରିମାଣ୍ଡରେ ପଠାଇବାକୁ ଅନୁମତି ଦେଇଛନ୍ତି । ତେବେ ମାନସ ହତ୍ୟାକାଣ୍ଡର ଅନ୍ୟ ଅଭିଯୁକ୍ତ ରଂଜନ ଓ ନିରଞ୍ଜନ କୋର୍ଟରେ ହାଜର ହେବା ପରେ ଜେଲ ପଠାଇ ଦିଆଯାଇଛି ।
ଏମାନଙ୍କର ରିମାଣ୍ଡ ଅବଧି ଶେଷ ହେବା ପରେ ରବିବାର ଦିନ ଚାନ୍ଦବାଲିସ୍ଥିତ ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା । ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଂଚ କୋର୍ଟରେ ଆବେଦନ କରିଥିଲା । ହେଲେ କୋର୍ଟ ଏମାନଙ୍କୁ ତିନି ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।
ପ୍ରକାଶ ଥାଉ କି, ମାର୍ଚ୍ଚ ୭ ତାରିଖରେ ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା । ୧୪ ତାରିଖରେ ଏ ସଂକ୍ରାନ୍ତରେ ଥାନାରେ ଏତଲା ହୋଇଥିଲା । ଘଟଣାରେ କ୍ରାଇମବ୍ରାଂଚ ପୋଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି । ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ସମୟରେ ମାନସ ହତ୍ୟା ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଂଚ ।