-
ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ବୃଦ୍ଧି ନେଇ ଚାନ୍ଦବାଲି କୋର୍ଟରେ ଆବେଦନ କରିବ କ୍ରାଇମବ୍ରାଂଚ
ଭଦ୍ରକ, ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କ ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ପୁଣି ରିମାଣ୍ଡ ଅବଧି ବୃଦ୍ଧି ପାଇଁ ଚାନ୍ଦବାଲି କୋର୍ଟରେ ଆବେଦନ କରିବ କ୍ରାଇମବ୍ରାଂଚ । ଏନେଇ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ସମେତ ଅବସରପ୍ରାପ୍ତ ଓଆଇଏସ ନିରଞ୍ଜନ ସେଠୀ, ରାଜ୍ କମ୍ୟୁନିକେସନର ମାଲିକ ରାଜ୍ ଓରଫ ରଞ୍ଜନ ନାୟକ ଓ ଝୁନା ଭୋଇଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରିବ କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚ ଏଡିଜି ସଞ୍ଜୀବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି । ବିଶେଷ କରି ହତ୍ୟାକାଣ୍ଡ ସମ୍ପର୍କରେ ଅଭିଯୁକ୍ତ ମାନଙ୍କ ଠାରୁ ଆହୁରି ଅଧିକ ତଥ୍ୟ ଓଗାଳିବା ପାଇଁ କ୍ରାଇମବ୍ରାଂଚ ସେମାନଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ।
ପ୍ରକାଶ ଥାଉ କି, ମାର୍ଚ୍ଚ ୭ ତାରିଖରେ ମାନସଙ୍କୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା । ୧୪ ତାରିଖରେ ଏ ସଂକ୍ରାନ୍ତରେ ଥାନାରେ ଏତଲା ହୋଇଥିଲା । ଘଟଣାରେ କ୍ରାଇମବ୍ରାଂଚ ପୋଲିସ ସହାୟତାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି । ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ସମୟରେ ମାନସ ହତ୍ୟା ସମ୍ପର୍କିତ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଂଚ ।