
ପୁରୀ, ଭାରତ ବିକାଶ ପରିଷଦ, ଶ୍ରୀଜଗନ୍ନାଥ ଧାମ ତରଫରୁ ଚୈତ୍ର ଶୁକ୍ଳ ପ୍ରତିପଦା ତିଥି,୨ ଅପ୍ରିଲରେ ସ୍ଥାନୀୟ ତ୍ରିଦେଵ ଭିଲ୍ଲା ଠାରେ ରାଷ୍ଟ୍ରୀୟ ନବ ବର୍ଷ, ନବ ସମ୍ବଶ୍ଚର୍ ୨୦୭୯ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ମୁକ୍ତିକାନ୍ତ ଦାସ ଏଥିରେ ସଭାପତିତ୍ଵ କରିଥିଲେ |
ପ୍ରାରମ୍ଭ ରେ ନୂତନ ସଭାପତି ପ୍ରଫୁଲ ଚନ୍ଦ୍ର ମିଶ୍ର ଉପସ୍ଥିତ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ସର୍ବଶ୍ରୀ ବୁଧଦେଵ ମହାପାତ୍ର, ଶରତ ଜୟ ସିଂ, ସନ୍ତୋଷ ମହାନ୍ତି, ଡ଼ଃ. ନୃସିଂହ ଚରଣ ଦାସ, ଡ଼ଃ. ସୁରେନ୍ଦ୍ର ନାଥ ପତି, ପ୍ରାଧ୍ୟାପକ ସୌଭାଗ୍ୟ କୁମାର ସାହୁ ପ୍ରମୁଖ ଯୋଗଦେଇ, ରାଷ୍ଟ୍ରୀୟ ନବବର୍ଷ ସୃଷ୍ଟିର ପ୍ରାରମ୍ଭ ସହିତ ଜଡିତ ବ୍ରହ୍ମାଙ୍କ ଦ୍ଵାରା ଯେଉଁଦିନ ସୃଷ୍ଟିର ସଂରଚନା ଆରମ୍ଭ ହେଲା ସେହି ଦିନ ଠାରୁ ସମ୍ବତ ଆରମ୍ଭ ହେଲା ବୋଲି ମତ ରଖିଥିଲେ।ପାଶ୍ଚାତ୍ୟ କାଳ ଗଣନା ପଦ୍ଧତି ସହ ଭାରତୀୟ ପରିବେଶ, ସଂସ୍କୃତି, ଇତିହାସ ଓ ଭାବନାର କୌଣସି ସଂବଦ୍ଧ ନଥାଏ । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ରାଜ୍ୟାଭିଷେକ, ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ, ବୀର ଅର୍ଜୁନଙ୍କ ପୌତ୍ର ପରୀକ୍ଷିତ ମହାରାଜ ସମ୍ପୂର୍ଣ ସଂସାରର ସମ୍ରାଟ ଏହି ଦିନରୁ ହୋଇଥିଲେ। କଳିଯୁଗର ୩୦୪୪ ବର୍ଷ ପରେ ଇଶା ମସିହାଙ୍କ ୫୭ ବର୍ଷ ପୂର୍ବେ ଧାର୍ମିକ ତଥା ପ୍ରତାପୀ ରାଜା ବିକ୍ରମାଦିତ୍ୟ ପ୍ରଜାଙ୍କ ସମ୍ପୂର୍ଣ୍ଣ ଋଣକୁ ଚୁକ୍ତି କରି ନିଜ ଉପରକୁ ନେଇ ନୂଆ ସମ୍ବତ ଆରମ୍ଭ କରିଥିଲେ ଯାହା ଆଜି ର ଗଣନା ଅନୁଯାୟୀ ବିକ୍ରମ ସମ୍ବତ ୨୦୭୯, ଯାହାକି ଉତ୍ତର ଭାରତରେ ଅଧିକ ପ୍ରଚଳିତ। ବିକ୍ରମ ସମ୍ବତ ଆରମ୍ଭର ୧୩୫ ବର୍ଷ ପରେ ରାଜା ଶାଳିବାହନ ନିଜର ସମ୍ବତ ଚୈତ୍ର ଶୁକ୍ଳ ପ୍ରତିପଦରୁ ଆରମ୍ଭ କରିଥିଲେ ଯାହା ଦକ୍ଷିଣ ଭାରତରେ ଅଧିକ ପ୍ରଚଳିତ, ସେହିପରି ଋତୁ ର ପରିବର୍ତ୍ତନ, ପିଲାଙ୍କ ଶ୍ରେଣୀ ପରିବର୍ତ୍ତନ, ଆର୍ଥିକ ବର୍ଷର ପରିବର୍ତ୍ତନ, ନୂଆ ଫସଲର ଚାଷ ଆହୁରି ମଧ୍ୟ ଅନେକ ପ୍ରକାରର ପରିବର୍ତ୍ତନ ନବ ସମ୍ବତ ବା ଭାରତୀୟ ନବବର୍ଷରେ ପ୍ରାରମ୍ଭ ହେଉଥିବାରୁ ତଥା ଭାରତୀୟ କାଳ ଗଣନା ପଦ୍ଧତି ଅନୁଯାୟୀ ପାରିବାରିକ ଜୀବନର ପ୍ରାୟ ସମସ୍ତ ଶୁଭକାର୍ଯ୍ୟ ବିବାହ, ବ୍ରତ, ଜନ୍ମ ଜାତକ, ପିତୃ ଶ୍ରାଦ୍ଧ ଇତ୍ୟାଦି ସମସ୍ତ କାର୍ଯ୍ୟ ପୂଜନ ଆଦି ହେଉଥିବାରୁ ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ଠାରୁ ଭାରତୀୟ ନବବର୍ଷ ପାଳନ କରିବାକୁ ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ ଏକ କବିତା ମାଧ୍ୟମରେ ଭାରତୀୟ ନବ ବର୍ଷ ପାଳନର ମହତ୍ଵ ଏବଂ ଚୈତ୍ର ମାସର ପ୍ରାରମ୍ଭ କୃଷ୍ଣ ପକ୍ଷ ଦେବତା ତଥା ପିତୃ ପୁରୁଷଙ୍କ ପାଇଁ ଉଦ୍ଧିଷ୍ଟ ଥିବାରୁ ମାନବ ମାନଙ୍କ ପାଇଁ ଉଦ୍ଧିଷ୍ଟ ଶୁକ୍ଳ ପକ୍ଷରେ ନବବର୍ଷ ପାଳନ ସମ୍ପର୍କରେ ମତ ରଖିଥିଲେ। ଅବସର ପ୍ରାପ୍ତ ପ୍ରଫେସର ପ୍ୟାରୀ ମୋହନ ପଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଧ୍ୟାତ୍ମିକ, ପୌରାଣିକ,ଐତିହାସିକ, ବୈଜ୍ଞାନିକ ତଥା ତାତ୍ତ୍ଵିକ ଦୃଷ୍ଟିରୁ ଭାରତରେ ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ନବ ବର୍ଷ ପାଳନ କରିବା ସମ୍ପର୍କରେ ପ୍ରାଞ୍ଜଳ ଭାବରେ ମତ ରଖିବା ସହ ବ୍ରହ୍ମାଙ୍କ ସୃଷ୍ଟିର ସରଞ୍ଚନା ଠାରୁ ବର୍ତମାନ ଚାଲୁଥିବା ଶ୍ଵେତବରାହ କଳ୍ପକୁ ୧୯୭୨୯୪୯୧୨୩ ହୋଇଥିବା ତଥା ଭାରତୀୟ ଗଣନା କାରୀ ମାନେ ୧୯୭ କୋଟି ବର୍ଷର କାଳଗଣନା ପଦ୍ଧତିକୁ ସୁରକ୍ଷୀତ ରଖିବା ପାଇଁ ସେକେଣ୍ଡର ଅତି ସୁକ୍ଷ୍ମାତି ସୂକ୍ଷ୍ମ ବିଭାଜନ ଠାରୁ ଆରମ୍ଭ କରି ଯୁଗ, ମହାଯୁଗ, ମନୁ, କଳ୍ପ ଭଳି ବିଶାଳ ଗାଣିତିକ ସଙ୍କେତକୁ ବ୍ୟବହାର କରି ଯୁଗ ମାଧ୍ୟମରେ ଭାରତୀୟ ମାନେ ପ୍ରଥମେ କାଳ ଗଣନାର ପଦ୍ଧତ୍ତି ଆରମ୍ଭ କରି, କଳି ଯୁଗର ବୟସ ୪୩୨୦୦୦ ବର୍ଷ, ଦ୍ଵାପର ଯୁଗ କଳିର ତିନିଗୁଣ ଅର୍ଥାତ ୮୬୪୦୦୦ ବର୍ଷ, ତ୍ରେତୟା କଳିର ତିନିଗୁଣ ଅର୍ଥାତ ୧୨୯୬୦୦୦ ବର୍ଷ, ସତ୍ୟ କଳିର ୪ ଗୁଣ ଅର୍ଥାତ ୧୭୨୮୦୦୦ ବର୍ଷ, ଚାରିଯୁଗ ସମାହାରରେ ଏକ ମହାଯୁଗ ଏବଂ ୧୦୦୦ ମହାଯୁଗର ସମାହାରରେ ଏକ କଳ୍ପ ବୋଲି ଭାରତୀୟ ଗଣନାକାରୀ ମାନେ ଗଣନା କରି ସତ୍ୟ, ତ୍ରେତୟା, ଦ୍ଵାପର ପରେ ମହାକାଳ ଚୈତ୍ର ଶୁକ୍ଳ ପ୍ରତିପଦା( ୨ ଅପ୍ରିଲ ୨୦୨୨ ) ଦିନ ବୈବଶ୍ଵତ ମନ୍ଵନ୍ତର କଳିଯୁଗର ୫୧୨୪ ବର୍ଷ ରେ ପ୍ରବେଶ କରିବା ସମ୍ପର୍କରେ ମତ ରଖିଥିଲେ।
ଭାରତ ବିକାଶ ପରିଷଦ ର ରାଷ୍ଟ୍ରୀୟ ମହାସଚିବ (ପୂର୍ଵକ୍ଷେତ୍ର ) ଶ୍ରୀଯୁକ୍ତ ପୂର୍ଣ ଚନ୍ଦ୍ର ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାଳ ଗଣନାର ପଦ୍ଧତିକୁ ପ୍ରାରମ୍ଭ କରି ଦୀର୍ଘ ୧୯୭ କୋଟି ବର୍ଷ ଧରି ସୁରକ୍ଷିତ ରଖି ସାରା ପୃଥିବୀକୁ ନିର୍ଭୁଲ ଗଣନାର ସୂଚନା ଦେଉଥିବା ଭାରତୀୟ କାଳ ଗଣନା ପଦ୍ଧତି ଅନୁଯାୟୀ ଭାରତୀୟ ମାନେ ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ଭାରତୀୟ ହିନ୍ଦୁ ନବବର୍ଷ ପାଳନ କରିବାକୁ ଆହ୍ଵାନ କରିଥିଲେ।
ଏହି ଅବସରରେ ନୂତନ ରାଷ୍ଟ୍ରିୟ ମହାସଚିବ ( ପୂର୍ବ କ୍ଷେତ୍ର)ଦାୟିତ୍ଵ ଗ୍ରହଣ କରିଥିବାରୁ ବରିଷ୍ଠ ସଦସ୍ୟ କୃଷ୍ଣ ଚନ୍ଦ୍ର ରଥଙ୍କ ଦ୍ଵାରା ଶ୍ରୀ ଖୁଣ୍ଟିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସଭା ପ୍ରାରମ୍ଭରେ ବନ୍ଦେ ମାତରଂ, ଶେଷ ରେ ଜାତୀୟ ସଙ୍ଗୀତ ଜନ ଗଣ ମନ ଏବଂ ପରିଶେଷରେ ସମୂହ ହନୁମାନ ଚାଳିଶା ପାଠ କରାଯାଇଥିଲା। ପରିଶେଷରେ ପିତାମ୍ବର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀମତୀ ସୁପ୍ରିତି ରଥ, ମୋନାଲିସା ପଟନାୟକ, ମୀରା ମହାରଣା, ମମତା ପାତ୍ର, ରାମ ଚନ୍ଦ୍ର ଦଳାଇ, ଜଗଦୀଶ ଆଚାର୍ଯ୍ୟ, ଲାଲା ଅନନ୍ତ କୁମାର ସିଂ, ସୌମେନ୍ଦ୍ର ଦାସ, ଗଣେଶ୍ଵର ମହାସୁଆର, ଗୌରାଙ୍ଗ ପ୍ରସନ୍ନ ମିଶ୍ର, କିଶୋର ପାତ୍ର, ହରିହର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।