
-
ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମ ରେ ୧୨ଟି ଦେଶାତ୍ମବୋଧକ ସଙ୍ଗୀତ ଗାଇଲେ ୮୦ଜଣ ଶିଳ୍ପୀ
ଉତ୍କର୍ଷ ସାହିତ୍ୟ, ସଂସ୍କୃତି, ସଂଗୀତ, ନୃତ୍ୟ ଓ କଳାକୁ ନେଇ ସମୃଦ୍ଧ ଉତ୍କଳ ର ବିକାଶ ଏବଂ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ। ୮୭ ତମ ଉତ୍କଳ ଦିବସ ଉପଲକ୍ଷେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଉତ୍ସବ କୁ ଉଦଘାଟନ କରି ଶ୍ରୀସାହୁ ପୁରୀ ର ବିକାଶ ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ ପ୍ରଶାସନ ସଚେତନ ଅଛି ବୋଲି ମତବ୍ୟକ୍ତ କରିବା ସହ ଓଡ଼ିଆ ନାମଫଳକ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୀତେନ୍ଦ୍ରିୟ ଜେନାଙ୍କ ପରିଚାଳନା ରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ବପ୍ନାରାଣୀ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ନାଥଶର୍ମା,ଉପ ଜିଲ୍ଲାପାଳ ଭବତାରଣ ସାହୁ ଓ ପୁରୀ ପୌରପାଳିକା ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ ସମେତ ଅତିଥି ଭାବେ ଯୋଗ ଦେଇ ଉତ୍କଳ ଦିବସ ର ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଜିଲ୍ଲା ପାଇଁ ସୁନାମ ଆଣିଥିବା ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ, ଗୀତିକାର ବଦ୍ରି ମିଶ୍ର,ଅଭିନେତା ନବକିଶୋର ଆଚାର୍ଯ୍ୟ, ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ର, ଲୋକନୃତ୍ୟ ଶିଳ୍ପୀ ମାଗୁଣି ଜେନା,ଲୋକବାଦ୍ୟ ଶିଳ୍ପୀ କିଶୋର ପ୍ରଧାନ,ବାଦ୍ୟ ଶିଳ୍ପୀ କାଳିନ୍ଦୀ ଚରଣ ପରିଡା ଓ କଣ୍ଠଶିଳ୍ପୀ ଚନ୍ଦ୍ରମଣି ଲେଙ୍କାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ପରେପରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପ୍ରାୟୋଜିତ କାର୍ଯ୍ୟକ୍ରମ “ବନ୍ଦେ ଉତ୍କଳ ଜନନୀ”, ନିର୍ଦ୍ଦେଶକ ବିକ୍ରମ ସାହୁ ଓ ଗୀତିକାର ବଦ୍ରି ମିଶ୍ର ଙ୍କ ସଂଯୋଜନା ରେ ପ୍ରଦର୍ଶିତ ହୋଇଥିଲା। ସିଦ୍ଧ ମହାବୀର ସଂଗୀତ ପରିଷଦ, ସିଂହାରୀ ଶ୍ୟାମସୁନ୍ଦର ସଂଗୀତ ମହାବିଦ୍ୟାଳୟ,ଓଡ଼ିଶା ସଂଗୀତ ପରିଷଦ,ଲିଂଗରାଜ କଳା ନିକେତନ,ଶ୍ରୀପର୍ଣ୍ଣା ଓଡ଼ିଶୀ ସଂଗୀତ ପରିଷଦ ଓ ମହୁରୀ ସାଂସ୍କୃତିକ ଏକାଡେମୀ ର ୮୦ଜଣ କଣ୍ଠଶିଳ୍ପୀ ୧୨ଟି ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ଧନ୍ୟବାଦ ଦେଇଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ।