ନୂଆଦିଲ୍ଲୀ , ୨୦୨୨ ମାର୍ଚ୍ଚ ମାସରେ ଦେଶରେ ମୋଟ ୧, ୪୨,୦୯୫ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ହୋଇଛି ଯାହା ଏକ ରେକର୍ଡ । ସେଥିରୁ କେନ୍ଦ୍ରୀୟ ଜିଏସ୍ଟିର ପରିମାଣ ୨୫, ୮୩୦ କୋଟି ଟଙ୍କା ହୋଇଥିବାବେଳେ ରାଜ୍ୟ ଜିଏସ୍ଟି ପରିମାଣ ୩୨, ୩୭୮କୋଟି ଓ ଆଇଜିଏସ୍ଟି ପରିମାଣ ୭୪, ୪୭୦ କୋଟି ଟଙ୍କା । ସମ୍ମିଳିତ ଜିଏସ୍ଟିରେ ୩୯, ୧୩୧ କୋଟି ଆମଦାନୀ ବାବଦ ଶୁଳ୍କ ରହିଛି ଯାହା ଆମଦାନୀ ହେଉଥିବା ବିଭିନ୍ନ ପ୍ରକାର ସାମଗ୍ରୀ ଉପରୁ ସଂଗୃହୀତ ହୋଇଛି । ସେହିଭଳି ଏହି ମାସରେ ଆଦାୟ ହୋଇଥିବା ଉପକର ବା ସେସ୍ ଏବଂ ଅନ୍ୟାନ୍ୟ ଅତିରିକ୍ତ କରର ପରିମାଣ ୯,୪୧୭କୋଟି ଟଙ୍କା । ଏଥିରେ ଆମଦାନୀ ହୋଇଥିବା ସାମଗ୍ରୀ ଉପରୁ କେବଳ ୯୮୧ କୋଟି ଟଙ୍କାର ନିରୋଳା ସେସ୍ ଅନ୍ତର୍ଭୁକ୍ତ ।
୨୦୨୨ ମାର୍ଚ୍ଚରେ ଆଦାୟ ହୋଇଥିବା ମୋଟ ଜିଏସ୍ଟି ଏକ ସର୍ବକାଳୀନ ରେକର୍ଡ । ଚଳିତବର୍ଷ ଜାନୁୟାରୀ ମାସରେ ଦେଶରେ ୧, ୪୦, ୯୮୬ କୋଟି ଟଙ୍କାର ମୋଟ ଜିଏସ୍ଟି ସଂଗୃହିତ ହୋଇ ଯେଉଁ ରେକର୍ଡ ସୃଷ୍ଟି ହୋଇଥିଲା ମାର୍ଚ୍ଚର ସଂଗ୍ରହ ସେ ରେକର୍ଡକୁ ଭାଙ୍ଗିଛି ।
ନିୟମିତ ଅଂଶ ପ୍ରଦାନ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏଇମାସରେ ଆଦାୟ ହୋଇଥିବା ମୋଟ ଜିଏସ୍ଟିରୁ କେନ୍ଦ୍ରୀୟ ଜିଏସ୍ଟି ବାବଦରେ ୨୯, ୮୧୬କୋଟି ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ଜିଏସ୍ଟି ପ୍ରାପ୍ୟ ବାବଦରେ ରାଜ୍ୟମାନଙ୍କ ପାଇଁ ୨୫, ୦୩୨କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହା ସହିତ କେନ୍ଦ୍ର ସରକାର ମଧ୍ୟ ସମନ୍ୱିତ ଜିଏସ୍ଟି ବାବଦରେ ଆଦାୟ ହୋଇଥିବା ଅର୍ଥକୁ ଆଡହକ୍ ଭିତ୍ତିରେ ୫୦:୫୦ ଅନୁପାତରେ ବିଭାଜିତ କରି ରାଜ୍ୟମାନଙ୍କୁ ୨୦, ୦୦୦ କୋଟି ଟଙ୍କା ମାର୍ଚ୍ଚ ମାସରେ ଦେଇଛନ୍ତି । ନିୟମିତ ଓ ଆଡହକ (ଅସ୍ଥାୟୀ)ଜିଏସ୍ଟି ଭାଗ ଅନୁସାରେ ଏବର୍ଷ ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ଜିଏସ୍ଟି ବାବଦରେ ମୋଟ ୬୫,୬୪୬ କୋଟି ଏବଂ ରାଜ୍ୟମାନଙ୍କୁ ରାଜ୍ୟ ଜିଏସ୍ଟି ବାବଦରେ ୬୭,୪୧୦ କୋଟି ଟଙ୍କା ମିଳିଛି । ଏହାଛଡା ଜିଏସ୍ଟି କ୍ଷତିପୂରଣ ବାବଦରେ ବିଭିନ୍ନ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୮,୨୫୨ କୋଟି ଟଙ୍କା ମାର୍ଚ୍ଚ ମାସରେ ଯୋଗାଇ ଦିଆଯାଇଛି ।
ଚଳିତବର୍ଷ ମାର୍ଚ୍ଚ ମାସରେ ଆଦାୟ ହୋଇଥିବା ମୋଟ ଜିଏସ୍ଟି ପରିମାଣ ୨୦୨୧ ବର୍ଷର ମାର୍ଚ୍ଚ ମାସରେ ଆଦାୟ ଜିଏସ୍ଟି ଠାରୁ ୧୫ ଶତାଂଶ ଅଧିକ । ୨୦୨୦ ମାର୍ଚ୍ଚ ମାସର ଆଦାୟ ସହିତ ଏହାକୁ ତୁଳନା କଲେ ଏହା ୪୬% ବେଶି । ୨୦୨୨ ମାର୍ଚ୍ଚ ମାସରେ ଆମଦାନୀ ସାମଗ୍ରୀ ଉପରୁ ୨୫ଶତାଂଶ ଅଧିକ ରାଜସ୍ୱ ଆଦାୟ ହୋଇଥିବାବେଳେ ଘରୋଇ କାରବାର ଓ ସେବା ରପ୍ତାନୀ ଆଦିରୁ ହୋଇଥିବା ରାଜସ୍ୱ ଆୟ ୨୦୨୧ ମାର୍ଚ୍ଚ ତୁଳନାରେ ୧୧ ଶତାଂଶ ବୃଦ୍ଧି ପାଇଛି । ୨୦୨୨ ଫେବୃୟାରୀ ମାସରେ ମୋଟ ୬. ୯୧କୋଟିର ଇ-ୱେବିଲ ଜେନେରେଟ ହୋଇଥିବାବେଳେ ଏବର୍ଷ ଜାନୁୟାରୀରେ ଏହି ସଂଖ୍ୟା ଥିଲା ୬. ୮୮କୋଟି । ମାର୍ଚ୍ଚ ମାସ କାର୍ଯ୍ୟଦିବସ ଅନୁଯାୟୀ ଛୋଟ ହୋଇଥିବା ସତ୍ତ୍ୱେ ବ୍ୟାବସାୟିକ କାର୍ଯ୍ୟକଳାପର ପୁନରୁଦ୍ଧାର ଦ୍ରୁତତର ଥିଲା ।
୨୦୨୧-୨୨ ଆର୍ଥିକ ବର୍ଷର ଶେଷ ତ୍ରୈମାସିକରେ ହାରାହାରି ଜିଏସ୍ଟି ପରିମାଣ ଥିଲା ୧.୩୮ କୋଟି ଟଙ୍କା। ସେହି ଆର୍ଥିକ ବର୍ଷର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତ୍ରୈମାସିକରେ ଏହି ସଂଗ୍ରହ ହାର ଥିଲା ଯଥାକ୍ରମେ ୧. ୧୦ଲକ୍ଷ କୋଟି, ୧.୧୫ଲକ୍ଷ କୋଟି ଓ ୧. ୩୦ଲକ୍ଷ କୋଟି ଟଙ୍କା । ଅର୍ଥନୀତିକ ପୁନରୁଦ୍ଧାର ସହିତ ଟିକସ ଫାଙ୍କିକୁ ରୋକିବା ପାଇଁ ଗ୍ରହଣ କରାଯାଇଥିବା ଦୃଢ ପଦକ୍ଷେପ ଫଳରେ ଜିଏସ୍ଟି ସଂଗ୍ରହ ବଢିଛି । ଟିକସ ପୈଠରେ ଜାଲ ବିଲ୍ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହା ବ୍ୟତୀତ ଜିଏସ୍ଟି ପରିଷଦ ଟିକସ ବ୍ୟବସ୍ଥାର ସରଳୀକରଣ ଓ ଯୁକ୍ତିଯୁକ୍ତକରଣ ଉପରେ ଗୁରୁତ୍ୱ ଦେଉଥିବାରୁ ଏହା ମଧ୍ୟ ରାଜସ୍ୱ ଆଦାୟରେ ସହାୟକ ହୋଇଛି ।
ଚଳିତବର୍ଷ ମାସିକିଆ ମୋଟ ଜିଏସ୍ଟି ସଂଗ୍ରହର ହାର ନିମ୍ନରେ ପ୍ରଦତ୍ତ ଚାର୍ଟରେ ଦର୍ଶାଯାଇଛି । ପ୍ରଦତ୍ତ ଟେବୁଲରେ ପ୍ରତ୍ୟେକ ରାଜ୍ୟର ୨୦୨୨ ମାର୍ଚ୍ଚମାସ(1)ରେ ଜିଏସ୍ଟି ସଂଗ୍ରହ ପରିମାଣ ଏବଂ ୨୦୨୧ ମାର୍ଚ୍ଚ ତୁଳନାରେ ଏହାର ଅଭିବୃଦ୍ଧି ହାର ଉଲ୍ଲେଖ କରାଯାଇଛି ।