
ଭୁବନେଶ୍ୱର, ଓଡିଶା ପୋଲିସ୍ ର ୮୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱର ସପ୍ତମ ବାଟାଲିଆନ ଠାରେ କମିଶନରେଟ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । କମିଶନରେଟ ପୋଲିସ ଆଗାମୀ ଦିନରେ କିପରି ଅଧିକରୁ ଅଧିକ ଭଲ କାମ କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ସେ ନେଇ ଆଜି ସଂକଳ୍ପ ନିଆଯାଇଛି । ସେବା ମନବୃତି ନେଇ କମିଶନରେଟ ପୋଲିସ କାମ କରିବ ବୋଲି ଏହି ଅବସରରେ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।
ସେ କହିଛନ୍ତି ଜନସାଧାରଣଙ୍କ ନିକଟରେ ପହଁଚିବା ପାଇଁ ଯେଉଁ କାମ ପୂର୍ବରୁ ଚାଲୁଥିଲା ତାହା ଏବେ ଚାଲିଛିି । ଏହାସହ ଆଜିଠୁ କମିଶନରେଟ ପୋଲିସ ପକ୍ଷରୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଷ୍ଟ୍ରେସ ମ୍ୟାନେଜମେଂଟ ପାଇଁ ବ୍ଲିସ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା କହିଛନ୍ତି ପୋଲିସ କମିଶନର ।
ସେହିପରି କଟକର ଷଷ୍ଠ ବାଟାଲିୟନ ପଡିଆରେ ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କର୍ତବ୍ୟନିଷ୍ଠା ଓ ଉତ୍ସର୍ଗୀକୃତ ପୋଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଡିଜିପି ସୁନୀଲ ବଂଶଲ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରେଡରେ ସେ ଅଭିବାବନ ଗ୍ରହଣ କରିଥିଲେ । ଆଜିର ପ୍ୟାରେଡ଼ରେ ଉତମ ପ୍ରଦର୍ଶନ କରିଥିବା ପ୍ଲାଟୁନକୁ ସମ୍ବର୍ଦ୍ଧିତ କରିଥିଲେ ।
ଏହା ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ପୋଲିସ ପକ୍ଷରୁ ପାଳିତ ହୋଇଛି ୮୭ ତମ ପ୍ରତିଷ୍ଠା ଦିବସ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ସହ ଓଡ଼ିଶା ପୋଲିସର ପ୍ରତିଷ୍ଠା ହୋଇଥିଲା । ବିହାର ରାଜ୍ୟ ପୋଲିସରୁ ଅଲଗା ହୋଇ ଓଡିଶା ରାଜ୍ୟ ପୋଲିସ ଗଠନ ହୋଇଥିଲା ।