ଭୁବନେଶ୍ୱର ଢିଙ୍କିଆ ଠାରେ ଜିନ୍ଦଲ କମ୍ପାନୀ ଦ୍ୱାରା ଲୋକ ମାନଙ୍କର ମାନବିକ ଅଧିକାର ଉଲ୍ଲଂଘନ କରା ଯାଉଥିବାରୁ ସେଠାକୁ ଏକ ଗୃହ କମିଟି ପଠାଇବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଛନ୍ତି ଯେ – ରାଜ୍ୟ ସରକାର ଢିଙ୍କିଆରେ ପୋସ୍କୋ ତାର ଶିଳ୍ପ ପ୍ରତିଷ୍ଠା କରିବ ବୋଲି ଚେଷ୍ଟା କରିଥିଲେ । ମାତ୍ର ଲୋକ ମାନଙ୍କର ବିରୋଧ କାରଣରୁ ପୋସ୍କୋ ଶିଳ୍ପ ପ୍ରତିଷ୍ଠା କରି ପାରି ନ ଥିଲା ଓ ଚାଲି ଯାଇଥିଲା । ଏବେ ରାଜ୍ୟ ସରକାର ଜିନ୍ଦଲକୁ ସେଠାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଣିଛନ୍ତି । ହେଲେ ଲୋକ ମାନେ ଏହାର ପ୍ରତିବାଦ କରୁଛନ୍ତି । ଏହି ପ୍ରକଳ୍ପକୁ ବିରୋଧ କରୁଥିବା ସ୍ଥାନୀୟ ଲୋକ ମାନଙ୍କ ଉପରେ ନିର୍ଯ୍ୟାତନା ଦେଉଛି ଜିନ୍ଦଲ । ସେ ନିଜେ ଏଠାକୁ ଯାଇଥିଲେ ଓ ସ୍ଥାନୀୟ ଲୋକ ମାନେ ଠିକ କହୁଥିବା ସେ ମନେ କରୁଛନ୍ତି । ଏହା ପରେ ହାଇକୋର୍ଟ ମଧ୍ୟ ଏକ ଟିମ ପଠାଇଥିଲେ । ହେଲେ ଜିନ୍ଦଲ କମ୍ପାନୀ ଲୋକ ମାନଙ୍କୁ ମାରପିଟ କରିବା କାରଣରୁ ସେମାନେ ଏହାର ରିପୋର୍ଟ ଦେଇ ପାରି ନ ଥିଲା । ଏଭଳି ମାନବିକ ଅଧିକାର ଉଲ୍ଲଂଘନ ହେଉଥିବା କାରଣରୁ ବିଧାନସଭାର ଏକ ଗୃହ କମିଟି ଗଠନ କରି ସେଠାକାର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବାକୁ ପଠା ଯାଉ ବୋଲି ସେ ଦାବି କରିଥିଲେ ।