ମାଲକାନଗିରି, ବିବାହର ପ୍ରତିଶ୍ରୁତି ଦେଇ ଜନୈକା ଯୁବତୀଙ୍କୁ ବହୁ ବର୍ଷ ଧରି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ତେବେ ଯୁବତୀ ଜଣକ ବିବାହ କରିବାକୁ ଜିଦ ଧରିବାରୁ ଯୁବକ ଜଣକ ମନା କରି ଦେବା ପରେ ପୀଡ଼ିତା ଏମ୍ଭି – ୭୯ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅନ୍ୟପଟେ ଅଭିଯୁକ୍ତ ଫେରାର ଥିବା ଜଣା ପଡ଼ିଛି।
ସୂଚନା ଅନୁଯାୟୀ , ଏମ୍ଭି- ୭୯ ଥାନା ଅଞ୍ଚଳର ମଧୁସୂଦନ ବିଶ୍ବାସ (୨୩) ନିଜ ଅଞ୍ଚଳର ଜଣେ ଯୁବତୀଙ୍କୁ ୩ ବର୍ଷ ହେଲା ପ୍ରେମ କରୁଥିଲା । ଇତି ମଧ୍ୟରେ ବିବାହର ପ୍ରତିଶ୍ରୁତି ଦେଇ ମଧୁସୂଦନ ଯୁବତୀଙ୍କ ସହ ବହୁବାର ଶାରୀରିକ ସଂପର୍କ ରଖିଥିଲା । ତେବେ ଯୁବତୀ ଜଣକ ବିବାହ କରିବାକୁ ଜିଦ୍ ଧରିବାରୁ ମଧୁସୂଦନ ବିଭିନ୍ନ ବାହାନା କରୁଥିଲା । ଶେଷରେ ବିବାହ କରିବାକୁ ରୋକଠୋକ ମନା କରିଦେବାରୁ ଯୁବତୀ ଜଣକ ଗତ କିଛି ଦିନ ତଳେ ଆତ୍ମହତ୍ୟା ଉଦ୍ଯମ କରି ଗୁରୁତର ହୋଇଥିଲେ । ପଡ଼ିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଯୁବତୀ ଜଣକ ଘରକୁ ଫେରିଥିଲେ । ଏହାପରେ ମଧୁସୂଦନଙ୍କ ପରିବାର ଲୋକ ଯୁବତୀଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେଇ ଆସୁଥିଲେ । ଗ୍ରାମରେ ବୈଠକ ଡକାଯାଇ ଘଟଣାର ସମାଧାନ କରିବାକୁ ଉଦ୍ୟମ କରାଯାଇଥିଲା । କିନ୍ତୁ, ସବୁଆଡୁ ବିଫଳ ହେବାପରେ ଯୁବତୀ ଜଣକ ପୁଲିସର ଦ୍ବାରସ୍ଥ ହୋଇ ଏତଲା ଦେଇଥିଲେ। ଏନେଇ ଏମ୍ଭି- ୭୯ ଥାନାରେ କେଶ୍ ନଂ – ୩୦ / ୨୨ ଏବଂ ଦଫା ୩୭୬ ୨୯୪ , ୩୪ ଅନୁଯାୟୀ ମଧୁସୂଦନ ବିଶ୍ଵାସ, ବାପା ଗୋବିନ୍ଦ ବିଶ୍ଵାସ, ଦାଦା ଗୋପାଳ ବିଶ୍ଵାସ, ବିବେକାନନ୍ଦ ବିଶ୍ବାସ ଓ ମାମୁ ହିମାଂଶୁ ଘରାମୀଙ୍କ ନାଁରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ଜଣାପଡ଼ିଛି । ତେବେ ମୁଖ୍ୟ ଅଭିଯୁକ୍ତ ମଧୁସୂଦନ ଫେରାର ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।