ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତର ଏମପିଭି – ୬୫ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଅନ୍ୟଜଣେ ଶିକ୍ଷୟିତ୍ରୀ ଦୁଇ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ମାଡ଼ ମାରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମାଡ ଖାଇଥିବା ଶିକ୍ଷକ । ମାଡ ମାରୁଥିବା ସମୟରେ ଏକ ଭିଡିଓ ବର୍ତ୍ତମାନ କାଲିମେଳା ଅଞ୍ଚଳରେ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି । ଏମପିଭି- ୬୫ ବିଦ୍ୟାଳୟରେ ଦୁଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବ୍ୟକ୍ତିଗତ ବାର୍ତ୍ତାଳପକୁ ନେଇ କିଛି ବିବାଦ ସୃଷ୍ଟି ହୋଇଥିବା ବେଳେ ଶିକ୍ଷୟିତ୍ରୀ ଜଣକ ବର୍ତମାନ ପ୍ରଧାନଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକଙ୍କ ନାମରେ ଗଣ୍ଡଗୋଳକୁ ନେଇ ଏମଭି – ୭୯ ଥାନାରେ ଲିଖତ ଅଭିଯୋଗ କରିଥିଲେ । ଏହାପରେ ଏମପିଭି – ୬୫ ଗ୍ରାମର କିଛି ଲୋକ ମିଶି ଏହାର ସମାଧାନ କରାଇଥିଲେ । ଏହି ବିବାଦ ଥମି ନ ଥିବାବେଳେ ବିଦ୍ୟାଳୟର ସମସ୍ୟାକୁ ସମାଧାନ କରିବା ପାଇଁ କାଲିମେଳା ଏବିଇଓ ଚିନ୍ତାହରଣ ମଧୁ ଓ ଅସିତ ମିସ୍ତ୍ରୀ ତଦନ୍ତ କରିବାକୁ ଯାଇଥିଲେ । ସେହି ସମୟରେ ସିଆରସିସି ସୁଭାଷ ମଣ୍ଡଳ, ଏସଏମସି ସଭାପତି ସୁମନ୍ତ ରାୟ ଉପସ୍ଥିତ ଥିଲେ । ଏହାପରେ ସହକାରୀ ଶିକ୍ଷକ ସମ୍ରାଟ ବେହେରା ଓ ସହକାରୀ ଶିକ୍ଷୟିତ୍ରୀ ଇଲା ସେନଙ୍କୁ ମଧ୍ୟ ବୈଠକକୁ ଡାକି ଅଧିକାରୀମାନେ ତଥ୍ୟ ସଂଗ୍ରହ କରୁଥିବା ସମୟରେ ଶିକ୍ଷୟିତ୍ରୀ ଇଲା ସେନ ଉତ୍ତେଜିତ ହୋଇ ଅଧିକାରୀଙ୍କ ସମ୍ମୁଖରେ ଶିକ୍ଷକଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପରେ ଗ୍ରାମବାସୀ ବ୍ଲକ ଶିକ୍ଷାଅଧିକାରୀଙ୍କୁ ଶିକ୍ଷୟିତ୍ରୀଙ୍କ ବିରୋଧରେ ସିଆରସିସିଙ୍କ ମାଧ୍ୟମରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ଦେଇଥିବା ଜଣାପଡିଛି ।
ଏହି ଘଟଣା ସମ୍ପର୍କରେ ଏବିଇଓ ଅସିତ ମିସ୍ତ୍ରୀ ଓ ଚିନ୍ତାହରଣ ମଧୁଙ୍କୁ ପଚାରିବବାରୁ ଶିକ୍ଷୟିତ୍ରୀ ଶିକ୍ଷକକୁ ମାଡ ମାରିବା ଘଟଣା ସତ୍ୟ ବୋଲି ପ୍ରକାଶ କରିବା ସହ ଘଟଣା ସମ୍ପର୍କରେ ଆମେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛୁ ବୋଲି କହିଛନ୍ତି । ମାଡ ଖାଇଥିବା ଶିକ୍ଷକଙ୍କୁ ପଚାରିବାରୁ ସେ ତଦନ୍ତରେ ସହଯୋଗ କରୁଥିବାବେଳେ ଶିକ୍ଷୟିତ୍ରୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ।