ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତେଲରାଇ ପଞ୍ଚାୟତର ଏକ ଆଦିବାସୀ ଗ୍ରାମରେ ଜଣେ ଭିନ୍ନକ୍ଷମ ଯୁବତୀ ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହେବା ଏବଂ ଜନ୍ମିତ ଶିଶୁକୁ ମା ’ କୋଳରୁ ଛଡ଼ାଇ ନେଇ ଦୁଷ୍କର୍ମକାରୀ ଓ କଙ୍ଗାରୁ କୋର୍ଟ ମିଶି ନବଜାତକୁ ଏକ ଲକ୍ଷ ଟଙ୍କାରେ ବିକ୍ରି ଦେବା ଅଭିଯୋଗ ଘଟଣାରେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି । ଅନ୍ୟପକ୍ଷରେ ବିକ୍ରି ହୋଇଥିବା ନବଜାତ ଶିଶୁପୁତ୍ରକୁ ସୁକୁମା ଡାକ୍ତରଖାନାକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଅଭିଯୁକ୍ତ ଏମଭି – ୭୭ ଗ୍ରାମର ଶ୍ୟାମଲ ସ୍ପର୍ଶକାର ଓରଫ କାଲାକୁ କାଲିମେଳା ପୁଲିସ ଗିରଫ କରି ବୁଧବାର ଅଦାଲତ ଚାଲାଣ କରିଥିବା ଜଣାପଡିଛି । କୋର୍ଟଚାଲାଣ ପୂର୍ବରୁ ଅଭିଯୁକ୍ତକୁ କାଲିମେଳା ସ୍ବାସ୍ଥ୍ୟକେନ୍ଦ୍ର ନେଇ ଡାକ୍ତରୀ ମାଇନା କରାଯାଇଛି ।
ସେପଟେ ପୀଡ଼ିତାକୁ ମାଲକାନଗିରି ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁଟି ଛତିଶଗଡ ରାଜ୍ୟର ସୁକମା ଡାକ୍ତରଖାନାରୁ ଅଣାଯାଇ ମାଲକାନଗିରିରେ ରଖାଯାଇ ଉଭୟଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି । ଶିଶୁଟିକୁ ସେମାନଙ୍କ ସମ୍ପର୍କୀୟମାନେ ନେଇଥିବା ସୂଚନା ମିଳିଛି । ଘଟଣାରେ ପୁଲିସ ଜଣକୁ ଗିରଫ କରି ତଦନ୍ତ କରୁଥିଲେ ହେଁ ଏଭଳି ଏକ ସ୍ପର୍ଶକାତର ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଗିରଫ କରିପାରିନାହିଁ । ଅନ୍ୟପକ୍ଷରେ ଅଭିଯୁକ୍ତ କହିଛି ଯେ, ସେ ଦୁଷ୍କର୍ମ କରିନାହିଁ, ତାଙ୍କୁ ବାଧ୍ୟ କରି ଦୋଷୀ କରାଯାଇଛି । ବୈଠକରେ ତାକୁ ମାଡ଼ ମରାଯାଇଥିବା ସେ ଅଭିଯୋଗ କରିବା ସହ ତା ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା କହିଛି । ଏପରିକି ତାର ଡିଏନଏ ପରୀକ୍ଷା କରିବାକୁ ସେ ଦାବି ଜଣାଇଥିଲେ ହେଁ ତା କଥା କେହି ନ ଶୁଣି ଜୋରିମାନା କରିଥିଲେ । ଟଙ୍କା ନ ଦେଲେ ଜୀବନରୁ ମାରିଦେବାକୁ ଧମକ ମିଳିଥିବା ସେ ଅଭିଯୋଗ କରିଛି । ପ୍ରକୃତରେ ଶ୍ୟାମଲ ଏହି ଦୁଷ୍କର୍ମ କରିଛି ନା ତାକୁ ଫସାଇ ଦିଆଯାଇଛି ତାହା ତଦନ୍ତ ସାପେକ୍ଷ ।
ଏ ନେଇ କାଲିମେଳା ଥାନା ଅଧିକାରୀ ରଘୁନାଥ ମାଝି କହିଛନ୍ତି, ଗ୍ରାମବାସୀ କିଛି କହୁନାହାନ୍ତି, ମାମଲାର ତଦନ୍ତ ଚାଲିଛି , ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ।