ମାଲକାନଗିରି, ଗତକାଲି ରାତିରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ବସଷ୍ଟାଣ୍ଡ ପଛପଟ ସାହିରେ। ମୃତ ବ୍ୟକ୍ତି ଜଣକ ହେଲେ ମଲ୍ଲିକେଶ ସଗରିଆ ( ୩୨ ) ।
ମୃତ ମଲ୍ଲିକେଶଙ୍କ ପତ୍ନୀଙ୍କ କହିବାନୁଯାୟୀ, ଗତକାଲି ରାତିରେ ସ୍ଵାମୀ ଗାଧୋଇବା ପରେ ନିଜର ଓଦା ଗାମୁଛାକୁ ଘର ଦାଣ୍ଡରେ ବନ୍ଧା ଯାଇଥିବା ତାରରେ ଶୁଖାଇ ଖାଇବା ପାଇଁ ଯାଇଥିଲେ । ଖାଇବା ପରେ ଶୁଖାଇଥିବା ଗାମୁଛାରେ ମୁହଁ ପୋଛିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସେଠାରେ ପଡ଼ି ଯାଇଥିଲେ। ସ୍ବାମୀଙ୍କ ଏପରି ଅବସ୍ଥା ଦେଖି ପାଟି କରିବାରୁ ସାହି ପଡ଼ିଶା ଲୋକେ ପହଞ୍ଚି ଉଦ୍ଧାର କରି ଚିତ୍ରକୋଣ୍ଡା ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମଲ୍ଲିକେଶ ଥିଲେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି । ପେସାଟେ ଜଣେ ଅଟୋ ଚାଳକ । ପରିବାରର ଆର୍ଥିକ ଅବସ୍ଥା ସେତେ ସ୍ବଚ୍ଛଳ ନୁହେଁ । ପରିବାର କହିଲେ ସ୍ତ୍ରୀଙ୍କ ସହ ଛୋଟ ଛୋଟ ଦୁଇ ଝିଅ ଓ ଗୋଟିଏ ପୁଅ ମଲ୍ଲିକେଶଙ୍କ ଅକାଳ ମୃତ୍ୟୁରେ ପରିବାର ଲୋକେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି । ଏନେଇ ଚିତ୍ରକୋଣ୍ଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିବା ସହ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।