ମାଲକାନଗିରି, ମାଲକାନଗିରି ଜିଲା ପଡିଆ ବ୍ଲକ ଅନ୍ତର୍ଗତ ନିଲିଗୁଡା ପଞ୍ଚାୟତ ଚେରକୁଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି । ସେ ହେଲେ ଗ୍ରାମର ଆଇତା ମାଡକାମି । ସୋମବାର ଆଇତା ଘରଠାରୁ କିଛି ଦୂରରେ ଥିବା ଏକ ମହୁଲ ଗଛ ତଳୁ ମହୁଲ ଗୋଟାଉଥିବା ବେଳେ ଏକ ସାପ ତାଙ୍କ ଡାହାଣ ଗୋଡ଼କୁ କାମୁଡି ଦେଇଥିଲା । ତାଙ୍କ ପାଟି ଶୁଣି ଆଖପାଖ ଲୋକେ ଆସି ତାଙ୍କୁ ସେଠାରୁ ଉଦ୍ଧାର କରି ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ପଡ଼ିଆ ପୋଲିସ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ଲାଗି ପଠାଇଛନ୍ତି।
ସେହିପରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନୂଆଗୁଡ଼ା ପଞ୍ଚାୟତ ଖାଲପଦର ଗ୍ରାମରେ ସାପ କାମୁଡ଼ାରେ ଜଣେ ୬୨ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୋତି ଗୋଲାରୀ ନିଜ ଘରେ ଶୋଇଥିବା ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେବାରୁ ସେ ହଠାତ୍ ଚିତ୍କାର କରିଥିଲେ । ଚିତ୍କାର ଶବ୍ଦ ଶୁଣି ପରିବାରର ଅନ୍ୟ ସଦସ୍ୟ ସେଠାରେ ପହଞ୍ଚିଲା ବେଳକୁ ମୋତି ଗୋଲାରୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ପରିବାର ଲୋକେ ତୁରନ୍ତ ଗ୍ରାମ ଲୋକଙ୍କ ସହାୟତାରେ ମୋତିଙ୍କୁ ଚିତ୍ରକୋଣ୍ଡା ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।