ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ଥାନା ତେଲରାଇ ପଞ୍ଚାୟତର ଏକ ଗ୍ରାମରେ ଜଣେ ଆଦିବାସୀ ଭିନ୍ନକ୍ଷମ ଯୁବତୀ ପଡୋଶୀ ଗ୍ରାମର ଜଣେ ବିବାହିତ ଯୁବକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ। ପରବର୍ତ୍ତୀ ସମୟରେ ଯୁବତୀ ଜଣକ ଗର୍ଭବତୀ ହେବା ସହ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ଏହି ଘଟଣା ଜଣାପଡିବା ପରେ ସମ୍ପୃକ୍ତ ଶିଶୁପୁତ୍ରକୁ ଯୁବକ ଜଣକ ପୀଡିତାଙ୍କ ଅନିଚ୍ଛା ସତ୍ତ୍ଵେ ୧ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିବା ଘଟଣା ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ପୋଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି । ସଂପୃକ୍ତ ଅଭିଯୁକ୍ତଙ୍କ ସମେତ ତାଙ୍କ ପରିବାର ଏବଂ ପୀଡିତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି ପୋଲିସ।
ଖବରରୁ ଜଣାପଡିଛି, ତେଲରାଇ ପଞ୍ଚାୟତର ସମ୍ପୃକ୍ତ ପୀଡିତା ବୃଦ୍ଧା ମା ଏବଂ ଭାଇ ଭାଉଜଙ୍କ ସହ ଘରେ ରହିଥିଲେ । ୮ / ୯ ମାସ ତଳେ ପୀଡିତା ଭାଇଙ୍କ ସହ ନିଜ କ୍ଷେତରେ ଥିବା କୁଡିଆ ( ଲାଡି ) କୁ ଯାଇଥିଲେ । ଏହି ସମୟରେ ଭାଇଙ୍କ ଅନୁପସ୍ଥିତିରେ ଯୁବତୀ ଜଣଙ୍କୁ ଏମପିଭି – ୭୭ ଗ୍ରାମର ଶ୍ୟାମଲ ସ୍ଵର୍ଣ୍ଣକାର ଦୁଷ୍କର୍ମ କରିଥିଲେ । ଶ୍ୟାମଲଙ୍କ ପୀଡିତାଙ୍କ ପରିବାର ସହ ପରିଚିତ ଥିବାରୁ ବିଭିନ୍ନ ସମୟରେ ସେ ତାଙ୍କ ଘରକୁ ଯାଇ ଯୁବତୀଙ୍କୁ ଦୁଷ୍କର୍ମ କରୁଥିଲେ । ପୀଡିତା ଜଣଙ୍କ ଭିନ୍ନକ୍ଷମ ଥିବାରୁ ସେ କଥା କହିପାରୁ ନ ଥିଲେ । ଏହା ଜଣାପଡିବା ପରେ ଗ୍ରାମରେ କଙ୍ଗାରୁ କୋର୍ଟ ବସିଲା । କୋର୍ଟରେ ଦାରାଗୁଡା, କୁଞ୍ଜଗୁଡା, ତେଲରାଇ, ସୁଧାଖୁଣ୍ଟା ଓ ଅନ୍ୟ ଗ୍ରାମର ବରିଷ୍ଠ ଲୋକମାନେ ଉପସ୍ଥିତ ଥିଲେ । ଉକ୍ତ କଙ୍ଗାରୁ କୋର୍ଟରେ ଅଭିଯୁକ୍ତ ଥିବା ଏମପିଭି ଶ୍ୟାମଲ ସ୍ପର୍ଣ୍ଣକାର ଓ ପୀଡିତା ଉପସ୍ଥିତ ଥିଲେ। ଭୟରେ ପୀଡିତା ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ କରିପାରି ନ ଥିଲେ । ଏଠାରେ ଶ୍ୟାମଲ ନିଜ ଦୋଷ ସ୍ଵିକାର କରିବା ସହ ଯାହା ଦଣ୍ଡ ଦେବେ ସେ ତାହାକୁ ମାନିବେ ବୋଲି କହିଥିଲେ । ଶ୍ୟାମଲଙ୍କୁ ୨ ଲକ୍ଷ ୫୦ ହଜାର ଜରିମାନା କରାଯାଇଥିଲା । ଏହି ଅର୍ଥ ବୈଠକରେ ନିଷ୍ପତ୍ତି ହୋଇଥିଲା । ଶ୍ୟାମଲ ସଙ୍ଗେସଙ୍ଗେ ଅଗ୍ରିମ ୧୦ ହଜାର ଟଙ୍କା ଦେଇ ଜାନୁୟାରୀ ୨୫ ତାରିଖ ସୁଦ୍ଧା ବଳକା ଟଙ୍କା ଦେବ ବୋଲି ପ୍ରତିଶୃତି ଦେଇଥିଲେ । ପରେ ଶ୍ୟାମଲ ୫୦ ହଜାର ଟଙ୍କା ଗାଁ କମିଟିକୁ ଦେଇଥିବା କୁହାଯାଉଛି । ତେବେ କିଏ ନେଇଛି ତାହା ଜଣାପଡିନାହିଁ । ଫେବୃଆରୀ ମାସରେ ଯୁବତୀ ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଏହି ଶିଶୁପୁତ୍ରକୁ ଶ୍ୟାମଲ ଜଣେ ଅଜଣା ଦମ୍ପତିଙ୍କୁ ୧ ଲକ୍ଷ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଏ ନେଇ ପୋଲିସ ନିକଟରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ପୋଲିସ ନିଜ ଆଡୁ ଏହାର ତଦନ୍ତ ଆରମ୍ଭ କରିଛି। ସେହିପରି ମଙ୍ଗଳବାର କାଲିମେଳ ପ୍ରଶାସନ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ସିଡିପିଓ ଅନ୍ନପୂର୍ଣ୍ଣା ବୁରୁଦା ମଧ୍ୟ ଏକ ଟିମ୍ ନେଇ ଗ୍ରାମରେ ତଦନ୍ତ ଚଳାଇଛନ୍ତି। ଅନ୍ୟପକ୍ଷରେ ଗ୍ରାମରେ ଅଶାକର୍ମୀ, ଅଙ୍ଗନବାଡି ଏବଂ ପଞ୍ଚାୟତରେ ଥିବା ମହିଳା ସ୍ବାସ୍ଥ୍ୟକର୍ମୀ କିପରି ଏହି ଘଟଣା ଜାଣିପାରିଲେନି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏ ସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଯେ, ବର୍ତ୍ତମାନ ତଦନ୍ତ ଚାଲିଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।