-
ଗୃହ କମିଟି ଗଠନ କରି ସ୍ଥିତିର ଅନୁଧ୍ୟାନ କରିବାକୁ ଦାବି
-
ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କଲେ ବିଜେପି ବିଧାୟକ, ହଟ୍ଟଗୋଳ କାରଣରୁ ବିଧାନସଭା ସ୍ଥଗିତ
ଭୁବନେଶ୍ୱର, ପୁରୀ ଠାରେ ପ୍ରସ୍ତାବିତ କରିଡର ନିର୍ମାଣ ଓ ଜେସିବି ଓ ଅନ୍ୟ ମେସିନ ଲଗା ଯାଇ ଖୋଳା ଯିବା କାରଣରୁ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବିପନ୍ନ ହେଉଥିବା କଥା ସାମନାକୁ ଆସୁଛି । ଏହି ପ୍ରସଙ୍ଗଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ଏହାରୁ ଗୁରୁତ୍ୱକୁ ବୁଝି ମାମଲାର ସଠିକ ଅନୁଧ୍ୟାନ କରିବାକୁ ବିଧାନସଭାର ଏକ ଗୃହ କମିଟି ଗଠନ କରି ପୁରୀ ପଠା ଯାଉ । ବିଜେପି ଓ କଂଗ୍ରେସ ଦଳର ବିଧାୟକ ମାନେ ବିଧାନସଭାରେ ଏହି ଦାବି କରିଛନ୍ତି । ବିଜେପି ଦଳର ବିଧାୟକ ମାନେ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଥିଲେ । ବାଚସ୍ପତି ତାଙ୍କୁ କହିଥିଲେ ଯେ ଆଇନ ମନ୍ତ୍ରୀଙ୍କ ସହ କଥାବାର୍ତା ହୋଇ ସେ ଏ ବିଷୟରେ କହିବେ । ହେଲେ ବିଜେପି ବିଧାୟକ ମାନେ ଏହି ମାମଲାରେ ରୁଲିଂ ଦାବି କରି ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ ଓ ନାବାବାଜୀ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ମଙ୍ଗଳବାର ଶୂନ୍ୟକାଳରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ସେ ଓ ପୁରୀର ଅନ୍ୟ ଲୋକ ମାନେ ଶ୍ରୀମନ୍ଦିର କରିଡର ନିର୍ମାଣ ପାଇଁ ଜମି ଦେଇଛନ୍ତି । ମାତ୍ର ଏବେ ଦେଖା ଯାଉଛି ବିଶାଳ ମେସିନ ଲଗା ଯାଇ ଖୋଳା ଯାଉଛି । ଏହା ଫଳରେ ମନ୍ଦିରରେ ଅନେକ ଫାଟ ଦେଖା ଦେଲାଣି । ଅନ୍ୟ ପକ୍ଷରେ ଏଏସଆଇ ପକ୍ଷରୁ କୌଣସି ପ୍ରକାର ଅନୁମତି ନିଆ ଯାଇ ନାହିଁ । ମନ୍ଦିର ପ୍ରତି ସମ୍ଭାବିତ ବିପଦ କାରଣରୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି ଓ ପୁରୀର ଲୋକ ମାନେ ରାଜରାସ୍ତାକୁ ଓହ୍ଲାଇଲେଣି । ଜିଲ୍ଲା ପ୍ରଶାସନକୁ ଏ ବାବଦରେ ଅବଗତ କରା ଗଲେ ସୁଦ୍ଧା ସେମାନେ ଲୋକଙ୍କ କଥା ଶୁଣୁ ନାହାନ୍ତି । ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିରକୁ ଯଦି କୌଣସି କ୍ଷତି ହୁଏ ତେବେ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସେ ଚେତାବନୀ ଦେଇଛନ୍ତି ।
ସେ କହିଛନ୍ତି ଯେ ପୁରୀ ଶ୍ରୀମନ୍ଦିର ଚାରି ପଟେ ବିକାଶକୁ ସେ ବିରୋଧ କରୁ ନାହାନ୍ତି ବରଂ ସହଯୋଗ କରୁଛନ୍ତି । ହେଲେ ବିକାଶ ନାମରେ ବିନାଶକୁ ସେ ବିରୋଧ କରୁଛନ୍ତି ବୋଲି କହିଛନ୍ତି ।
ସେ କହିଛନ୍ତି ଯେ ଏହି ପ୍ରସଙ୍ଗର ଗୁରୁତ୍ୱକୁ ଦେଖି ବାଚସ୍ପତି ଏକ ଗୃହ କମିଟି ଗଠନ କରନ୍ତୁ ଓ ଏହି କମିଟି ପୁରୀ ଯାଇ ଏହାର ଅନୁଧ୍ୟାନ କରୁ । ଏହା କହି ଶ୍ରୀ ଷଡଙ୍ଗୀ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଥିଲେ ।
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝି, ବିଜେପି ବିଧାୟକ ଭାସ୍କର ମଢେଇ ମଧ୍ୟ ସେହି ସମାନ ଦାବି କରିଥିଲେ ।
ଏହା ପରେ ବିଜେପି ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।