ଭୁବନେଶ୍ୱର, ରାଜ୍ୟର ବିଭିନ୍ନ ବ୍ଲକରେ ନିର୍ମାଣ ହେଉଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାରେ ଅହେତୁକ ବିଳମ୍ବ ନେଇ ମଙ୍ଗଳବାର ଦିନ ବିଧାନସଭାରେ ସରକାରୀ ଦଳ ଓ ବିରୋଧୀ ଦଳର ବିଧାୟକ ମାନେ ଉଦବେଗ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ସରକାରୀ ଦଳର ବିଧାୟକ ଅମର ପ୍ରସାଦ ସତପଥୀ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀଙ୍କ ମୂଳ ପ୍ରଶ୍ନ ଓ ଅନ୍ୟ ବିଧାୟକ ମାନଙ୍କର ଅତିରିକ୍ତ ପ୍ରଶ୍ନର ଉତର ଦେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ରାଜ୍ୟବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଇବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ।
ମନ୍ତ୍ରୀ ପ୍ରତାପ ଜେନା ଉତରରେ କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ପୌରାଂଚଳରେ ସବୁ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବେ ସରକାର । ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମାଂଚଳରେ ସବୁ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ।