ଭୁବନେଶ୍ୱର, ଶ୍ରୀମନ୍ଦିରର ସୁରକ୍ଷା ସମ୍ପର୍କିତ ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବା କାରଣରୁ ଏହା ଉପରେ ବିଧାନସଭାରେ କହି ରେକର୍ଡ କରି ନେଲେ କିଛି ହେବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ଶୂନ୍ୟ କାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଶ୍ରୀମନ୍ଦିର ହେଉଛି ଓଡିଶାର ପରିଚୟ । ଯେତେବେଳେ ସେ ଆଇନ ମନ୍ତ୍ରୀ ଥିଲେ ସେତେବେଳେ ଶ୍ରୀମନ୍ଦିରରୁ ପଥର ଖସିଥିଲା ଓ ସେତେବେଳେ ଏ ସମ୍ପର୍କରେ ବିଧାନସଭାରେ ଉଦବେଗ ପ୍ରକାଶ ପାଇଥିଲା । ମାତ୍ର ଏବେ କରିଡର ନିର୍ମାଣ ନାମରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ବିଧାନସଭାରେ ବିଧାୟକ ମାନେ ଏବେ ଏହି ପ୍ରସଙ୍ଗ ଉଠାଇଲେଣି । ଏଏସଆଇର ଅନୁମତି ବିନା ଏହି କାମ ହେଉଛି ବୋଲି ମଧ୍ୟ ଅଭିଯୋଗ ହେଉଛି । ଯଦି ଏହା ସତ୍ୟ ହୋଇଥାଏ ତେବେ ଏହା ସାଂଘାତିକ । ପ୍ରସଙ୍ଗର ଗୁରୁତ୍ୱକୁ ଦେଖି ବାଚସ୍ପତି ଏକ ଗୃହ କମିଟି ଗଠନ କରନ୍ତୁ ଓ ବସ୍ତୁ ସ୍ଥିତିର ଜାଂଚ ପରେ କମିଟିର ରିପୋର୍ଟ ଗୃହକୁ ଜଣାନ୍ତୁ । ନ ହେଲେ ବାଚସ୍ପତି ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦେଶ ଦିଅନ୍ତୁ ଯେ ସେ ଏ ବିଷୟରେ ବକ୍ତବ୍ୟ ଦିଅନ୍ତୁ । ଯଦି ଏଏସଆଇର ଅନୁମତି ପରେ କାମ ହେଉଛି ତେବେ ସେ ସମ୍ପର୍କରେ ଗୃହକୁ ଜଣାନ୍ତୁ । ଲୋକ ମାନଙ୍କ ମନରେ ଥିବା ଦ୍ୱନ୍ଦକୁ ଦୂର କରନ୍ତୁ । ଏହା କହି ସେ ବାଚସ୍ପତିଙ୍କ ଠାରୁ ରୁଲିଂ ଦାବି କରିଥିଲେ ।