ଗଞ୍ଜାମ , ଦୀର୍ଘ ୩ ବର୍ଷ ଧରି କରୋନା କାରଣରୁ ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ବନ୍ଦ ଥିବା ବେଳେ ଚଳିତ ବର୍ଷ ଗତ ମଙ୍ଗଳବାର ଠାରୁ ଏହି ଯାତ୍ରା ଅନୁଷ୍ଠିତ ହେଉଛି । ଆଜି ଦ୍ୱିତୀୟ ମଙ୍ଗଳବାର ଉପଲକ୍ଷେ ପ୍ରତ୍ୟୁଷରେ ମାଙ୍କ ମଙ୍ଗଳ ଆଳତୀ, ପୂଜାର୍ଚ୍ଚନା କରେ ମାଙ୍କୁ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଶ୍ରଦ୍ଧାଳୁ ମାନେ ପାଦଚଲା ରାସ୍ତା, ରୋପ ୱେ ଏବଂ ମନ୍ଦିର ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ବସ୍ ଦ୍ୱାରା ପାହାଡ଼ ଉପରକୁ ଯାଇ ମାଙ୍କୁ ଦର୍ଶନ କରୁଛନ୍ତି । ଲକ୍ଷାଧିକ ଶିଶୁଙ୍କ ମୁଣ୍ଡର ପ୍ରଥମ କେଶ ଦେବୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି । ଯାତ୍ରୀଙ୍କ ସୁବିଧା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ, ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ଏହି ଯାତ୍ରା ଅନୁଷ୍ଠିତ ହେଉଛି । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଜଣାପଡିଛି ।