ଢେଙ୍କାନାଳ – ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ପଡ଼ାଛକ ନିକଟରେ ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୩୦ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗୁରୁତର ମାନଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ଆହତ ଯାତ୍ରୀ ମାନେ ଖଜୁରିଆକଟା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି ।
ସୂଚନା ଅନୁଯାୟୀ, ଆଜି ଭୋର୍ ସମୟରେ ‘ପ୍ରମୋଦା’ ନାମକ ଏହି ଘରୋଇ ଯାତ୍ରୀବାହି ବସ୍ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ପଡାଛକ ନିକଟରେ ରାସ୍ତା କଡ଼ରେ କାଦୁଅ ଥିବାରୁ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ ଧାନ କ୍ଷେତ ମଧ୍ୟକୁ ଓଲଟି ପଡିଥିଲା । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ସେଠାରୁ ଫେରାର୍ ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିବା ସହ ଏନେଇ ତଦନ୍ତ ଚଳାଇଛି ।