ଭୁବନେଶ୍ୱର, ଓଡିଶା ଋଣ ଭାରରେ ବୁଡି ରହିଥିବା ଓ ଋଣ ଆଣି ସରକାରୀ କର୍ମଚାରୀଙ୍କୁ ଦରମା ଦିଆଯାଉଥିବା କଥା ସମ୍ପୂର୍ଣ ଭିତିହୀନ ବୋଲି କହିଛନ୍ତି ରାଜ୍ୟ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ।
କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଏକ ପ୍ରଶ୍ନ ଓ ଅନ୍ୟ ବିଧାୟକ ମାନଙ୍କର ଅତିରିକ୍ତ ପ୍ରଶ୍ନର ଉତର ଦେଇ ସେ କହିଛନ୍ତି ଯେ କୌଣସି ବିକାଶଶୀଳ ରାଜ୍ୟରେ ଋଣ ନେଇ ଲୋକ ମାନଙ୍କର ବିକାଶ କାମରେ ଲଗାଇବାରେ କିଛି ଅସୁବିଧା ନାହିଁ । ତେବେ କିଏ କେତେ ଋଣ ନେଇ ପାରିବ ତାକୁ ନେଇ ମାନକ ରହିଛି । ଏହି ସବୁ ମାନକରେ ଓଡିଶା ଖୁବ ଭଲ ସ୍ଥିତିରେ ଅଛନ୍ତି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ ହେବାକୁ ଯାଉଛି । କହିଛନ୍ତି, ଋଣ କରି କେବଳ ବିକାଶମୂଳକ କାର୍ଯ୍ୟରେ ବିନିଯୋଗ କରାଯାଉଛି । ସବୁଠୁ କମ ଋଣ ନେବାରେ ଓଡ଼ିଶା ଆଗକୁ ନମ୍ବର ଏକ ରାଜ୍ୟ ହେବ । ମାର୍ଚ୍ଚ ୩୧ରେ କର୍ଣ୍ଣାଟକକୁ ପଛରେ ପକାଇ ଓଡ଼ିଶା ଏକ ନମ୍ବର ହେବ । ସେ କହିଛନ୍ତି ଯେ ବର୍ତମାନ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୨୨ ହଜାର ୮୨୭ ଟଙ୍କା ରହିଛି । ରାଜ୍ୟ ସରକାର ଯେତିକି ଋଣ କରୁଛନ୍ତି ସେ ସବୁ ଟଙ୍କା କେବଳ ରାଜ୍ୟର ବିକାଶମୂଳକ କାର୍ଯ୍ୟରେ ବ୍ୟବହାର କରାଯାଉଛି । ଏହି ଟଙ୍କାରେ କର୍ମଚାରୀଙ୍କୁ ଦରମା ଦିଆଯାଉ ନାହିଁ । ବର୍ତମାନ ସୁଦ୍ଧା ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ ୧ ଲକ୍ଷ ୬ ହଜାର କୋଟି ଟଙ୍କା ଋଣ କରିଛନ୍ତି । ଏଫଅଆରବିଏମ୍ ଆକ୍ଟ ଅନୁଯାୟୀ ୨୫ ପ୍ରତିଶତ ଋଣ କରିବାର ଧାର୍ଯ୍ୟଠୁ ଆମେ ବହୁତ ତଳେ ରହିଛୁ । ତେଣୁ ଏ ପ୍ରକାର କଥା ସମ୍ପୂର୍ଣ ଭାବେ ନିରାଧାର ବୋଲି ସେ କହିଛନ୍ତି ।