ମାଲକାନଗିରି, ବିବାହ ପାଇଁ ଅପହରଣ କରିବା ସହ ସମ୍ପର୍କୀୟଙ୍କ ସହ ମିଶି ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଉଠାଇ ବ୍ଲାକମେଲିଂ କରିବା ଅଭିଯୋଗକୁ ଭିତି କରି ଏହି ଘଟଣାରେ ଆଜି ଏମଭି ୭୯ ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ସୂଚନାଯୋଗ୍ୟ, ଏମଭି ୭୯ ଥାନାରେ ଜଣେ ନାବାଳିକାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଉପରୋକ୍ତ ଅଭିଯୋଗ କରିବା ପରେ ଏମଭି ୭୯ ଥାନାରେ ଏକ ମାମାଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ନାବାଳିକାଙ୍କ ପରିବାର ବର୍ଗଙ୍କ ଅଭିଯୋଗ ଅନୁଯାୟୀ, ଗିରଫ ହୋଇଥିବା ୫ ଅଭିଯୁକ୍ତ ନାବାଳିକା ଜଣଙ୍କୁ ତାଙ୍କ ମାମୁଁ ଘରୁ ଉଠାଇ ନେଇ ଏକ ନିଛାଟିଆ ସ୍ଥାନରେ ନେଇ ତାଙ୍କ ଅଶ୍ଳୀଳ ଚିତ୍ର ମୋବାଇଲ ମାଧ୍ୟମରେ ଉତ୍ତୋଳନ କରି ସମ୍ପର୍କୀୟଙ୍କ ମୋବାଇଲକୁ ପଠାଇବା ସହ ତାଙ୍କୁ ବିବାହ ନ କଲେ ଆଗକୁ ଭିଡିଓ ନେଇ ଭାଇରାଲ୍ କରିଦେବେ ବୋଲି ପରିବାରବର୍ଗଙ୍କୁ ଧମକ ଦେଇ ଆସୁଥିଲେ । ପୁଲିସ ଅଭିଯୋଗ ଆଧାରରେ ଏକ ତଦନ୍ତକାରୀ ଟିମ୍ ଗଠନ କରି ନାବାଳିକା ଜଣଙ୍କୁ ଜଗଦଲପୁରରୁ ଉଦ୍ଧାର କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ନାବାଳିକାଙ୍କ ସହ ଘଟିଥିବା ଘଟଣାର ବୟାନ ରେକର୍ଡ କରାଯାଇଛି। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ୫ ଜଣ ହେଲେ ମମତା ମଣ୍ଡଳ, ଅନିମା ବିଶ୍ଵାସ, ମଧୁ ହାଲଦାର, ନାରାୟଣ ହାଲଦାର, କୃଷ୍ଣ ବରୋଇ । ସେମାନଙ୍କ ନିକଟରୁ ବ୍ୟବହୃତ ମୋବାଇଲ ଓ ଅନ୍ୟାନ୍ୟ ବସ୍ତ୍ର ଜବତ କରାଯିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏମଭି ୭୯ ଥାନା ଅଧିକାରୀ ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି ।