ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରୀବ କଲ୍ୟାଣ ଯୋଜନାରେ ମାଗଣା ଖାଦ୍ୟ ଶସ୍ୟ ପ୍ରଦାନକୁ ଆଉ ଛଅ ମାସ ବଢାଇ ଥିବାରୁ ବିଧାନସଭାରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ କରିବାକୁ ଅନୁରୋଧ କରିଛି ବିଜେପି । ବିଜେପିର ବିଧାୟକ ମାନେ ସୋମବାର ଦିନ ବିଧାନସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଏପରି ପ୍ରସ୍ତାବ ପାରିତ କରିବାକୁ ଅନୁରୋଧ କରିଥିଲେ ।
ଶୂନ୍ୟକାଳରେ ବିରୋଧୀ ଦଳର ଉପ ନେତା ବିଷ୍ଣୁ ସେଠୀ ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ ଦେଶର ଗରୀବ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏହି ଯୋଜନାକୁ ଆଉ ଛଅ ମାସ ପାଇଁ ମାଗଣାରେ ରାସନ ଦେବାକୁ ଘୋଷଣା କରିଛନ୍ତି । ଏହାକୁ ଛଅ ମାସ ବଢାଇ ଦିଆଯାଇଛି । ଏହା ଦ୍ୱାରା ସାରା ଦେଶର ୮୦ କୋଟି ଗରୀବ ଲୋକ ଉପକୃତ ହେବାକୁ ଥିବା ବେଳେ ଓଡିଶାର ମଧ୍ୟ ତିନି କୋଟି ଲୋକ ଉପକୃତ ହେବେ । ତେଣୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ବିଧାନସଭାରେ ଏକ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ କରିବା ଉଚିତ । ଏ ସମ୍ପର୍କରେ ଏକ ମୋସନ ଆଣିବାକୁ ତାଙ୍କ ଦଳ ପକ୍ଷରୁ ବିଧାନସଭା ବାଚସ୍ପତିଙ୍କ ନିକଟରେ ଦିଆ ଯାଇଛି ବୋଲି ସେ କହିଛନ୍ତି । ସେହିପରି ବିଜେପି ବିଧାୟକ ଦଳର ସଚେତକ ମୋହନ ମାଝୀ ମଧ୍ୟ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ।